spot_img

Latest Posts

ଟୋକିଓ ଅଲିମ୍ପିକ୍ସର ଓଡ଼ିଆ ହକି ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ଆର୍ଥିକ ପୁରସ୍କାର ସହିତ ଚାକିରି ଅଫର ଲେଟର

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଦଳର ଅମିତ ରୋହୀ ଦାସ, ବିରେନ୍ଦ୍ର ଲାକ୍ରା ଏବଂ ମହିଳା ହକି ଦଳର ଦୀପ ଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଲିମ୍ପିକ୍ସରେ ଖେଳାଳୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଆଗକୁ ଏମିତି ଭଲ କରିବାକୁ ପ୍ରେରଣା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଆଗକୁ ଖେଳାଳିମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ପୁରୁଷ ହକି ଖେଳାଳି ଅମିତ ରୋହୀ ଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ମହିଳା ଖେଳାଳି ଦୀପ ଗ୍ରେସ ଏକ୍କା ଓ ନମିତା ଟପୋଙ୍କୁଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ମୁଖ୍ୟମନ୍ତ୍ରୀ ବିରେନ୍ଦ୍ର ଓ ରୋହିଦାସଙ୍କୁ ଓଡ଼ିଶା ପୋଲିସରେ ଡିଏସପି ରାଙ୍କର ଚାକିରି ଅଫର ଲେଟର ପ୍ରଦାନ କରିଛନ୍ତି । ତେବେ ଏହି ଅବସରରେ ପୁରୁଷ ହକି ଟିମର ଉପକ୍ୟାପ୍ଟେନ ବିରେନ୍ଦ୍ର ଲାକ୍ରା ମୁଖ୍ୟମନ୍ତ୍ରୀଙ୍କୁ ଦଳରସମସ୍ତ ଖେଳାଳିଙ୍କ ଅଟୋଗ୍ରାଫ ଥିବା ଏକ ହକି ଜର୍ସି ପ୍ରଦାନ କରିଥିଲେ । ସେହିଭଳି ମହିଳା ଦଳ ଉପକ୍ୟାପ୍ଟେନ୍ ଦୀପ ଗ୍ରେସ ଏକ୍କା ମଧ୍ୟ ମହିଳା ଦଳର ସବୁ ଖେଳାଳିଙ୍କ ଅଟୋଗ୍ରାଫ୍ ଥିବା ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଭେଟ୍ଟି ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ମଧ୍ୟ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ହେବରା, ଓଡ଼ିଶା ହକି ପ୍ରମୋଶନ କାଉଁସିଲ ଅଧକ୍ଷ ଦିଲୀପ ତିର୍କୀ, 5-T ସଚିବ ଭି. କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

ଟୋକିଓ ଅଲିମ୍ପିକ୍ସରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଗତକାଲି ସ୍ୱଦେଶ ଫେରିଥିଲେ। ଓଡ଼ିଆ ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିଲା। ବିମାନ ବନ୍ଦରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବ ସମସ୍ତ ଖେଳାଳିଙ୍କୁ ସ୍ୱାଗତ କରିଥିଲେ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମଧ୍ୟ ଖେଳାଳିଙ୍କୁ ସ୍ୱାଗତ ଜଣାଇଥିଲେ।

Latest Posts

Don't Miss