ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଅଦିନିଆ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଦିନିଆ ବର୍ଷାକୁ ନେଇ କୃଷି ଓଡ଼ିଶା ମଞ୍ଚରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଜିଲ୍ଲାପାଳ ମାନଙ୍କଠାରୁ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ପରେ ରାଜ୍ୟ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି ।

୨୯୧ କୋଟି ୫୯ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ରିଲିଫ ପାଣ୍ଠି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୩୩% ବା ତାଠାରୁ ଅଧିକ କ୍ଷତି ହୋଇଥିବା ଚାଷୀଙ୍କୁ ମିଳିବ କ୍ଷତି ପୂରଣ । ଜିଲ୍ଲାପାଳମାନେ ଚାଷ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟ ଅନୁସାରେ ରାଜ୍ୟରେ ୬ ଲକ୍ଷ ୬୬ ହଜାର ୭୨୦ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି ।

ଏଥିପାଇଁ SDRF ଫଣ୍ଡରୁ ୨୯୧କୋଟି ୬୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ଆଗରୁ ବିପର୍ଯ୍ୟୟ ତାଲିକାରେ ସାମିଲ ନଥିଲା ଅଦିନିଆ ବର୍ଷା । ଫଳରେ ରାଜ୍ୟର ହଜାର ହଜାର ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ । ଚାଷୀମାନେ ସହାୟତା ପାଇବାକୁ ବଞ୍ଚିତ ହେଉଥିଲେ।