କେନ୍ଦୁପତ୍ର ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଦ୍ବିତୀୟ ପର୍ଯ୍ୟାୟରେ ମିଳିବ ୧୧୧ କୋଟି ଟଙ୍କାର ସହାୟତା
ଭୁବନେଶ୍ୱର: କେନ୍ଦୁପତ୍ର ହିତାଧିକାରୀ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କା ସହୟତା ପାଇବେ । ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ । ୨୦୨୨ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ପରିମାଣର ସହାୟତା – ୧୯୪ କୋଟି । କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ଫସଲ ବର୍ଷରେ ଏକ ସର୍ବକାଳୀନ ରେକର୍ଡ । ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ୭.୭୫ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଏବଂ ୪୦ ହଜାର ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଏହି ସହାୟତା ମିଳିବ। ପ୍ରତ୍ୟେକ ତୋଳାଳୀଙ୍କୁ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ପାଣିବୋତଲ ଓ ଚପଲ ପାଇଁ ଯଥାକ୍ରମେ ୨୦୦ ଓ ୧୬୦ ଟଙ୍କା ମିଳିବ।
ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ । କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ । ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ୮୩ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ହିତାଧିକାରୀମାନେ, ଯେଉଁମାନେ କି ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି, ସେମାନଙ୍କ ଜୀବନଧାରଣ ମାନର ଉନ୍ନତିରେ ଏହି ଘୋଷଣା ସହାୟକ ହେବ ।