spot_img

Latest Posts

ମାଟ୍ରିକ ପରୀକ୍ଷା ଫି’ ଛାଡ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫି’‌ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ର ସମାଜର ବୃହତର ସ୍ବାଥକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ ବୋଲି ସୂଚନା ମିଳିଛି। ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫି’ ଦେବାକୁ ପଡିଥାଏ ।

ତେବେ ଏହା ପୂର୍ବରୁ ମଙ୍ଗଳବାର ଦିନ ଦଶମ ବୋର୍ଡ ପରୀକ୍ଷା ଫି’ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବି ରଞ୍ଜନ ତ୍ରିପାଠି । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ କରୋନା କାରଣରୁ ଅନେକ ପରିବାର ରୋଜଗାର ହରାଇ ବସିଛି । ଦୁଃଖ କଷ୍ଟରେ ଦିନ କଟୁଛି । ଏଭଳି ପରିସ୍ଥିତିରେ ଯଦି ସେମାନଙ୍କ ପିଲାଙ୍କ ପରୀକ୍ଷା ଫି ଛାଡ଼ କରାଯାଏ ତେବେ ଏହା ସେମାନଙ୍କୁ ଏକ ବଡ଼ ଉପକାର ସାବ୍ୟସ୍ତ ହେବ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଭିନ୍ନ ପରିବାରକୁ ଏହା ସାମାନ୍ୟ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିବ ।

ଗତ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ର ଓ ଯୁବ ଗୋଷ୍ଠିଙ୍କୁ ଲୋକାଭିମୁଖି ହେବାକୁ ଏବଂ ଲୋକଙ୍କ ହିତ ପାଇଁ ବିଭିନ୍ନ ପସ୍ତାବ ଦେବାକୁ ଆହ୍ୱାନ କରିଥିଲେ । ଏହି କ୍ରମରେ ଆଜି ବିଜୁ ଛାତ୍ର ଜନତା ଦଳର ସଭାପତି ଦେବିରଞ୍ଜନ ତ୍ରିପାଠି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ହିତ ପାଇଁ ପରୀକ୍ଷା ଫି’ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ,  କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କୋଭିଡ ଗାଇଡଲାଇନ୍ ମଧ୍ୟରେ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲାଯାଇଛି। ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି।

ତେବେ କରୋନା ଯୋଗୁଁ ବହୁ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହୋଇଥିବା ବେଳେ ଅର୍ଥାଭାବରୁ ପିଲାମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଯୋଗୁଁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ।

 

Latest Posts

Don't Miss