କ୍ରୀଡ଼ା ହଷ୍ଟେଲ ପିଲା ଓ ଜାତୀୟ ପଦକ ବିଜେତାଙ୍କୁ ମିଳିବ ସରକାରୀ ଭତ୍ତା
1 min readଭୁବନେଶ୍ୱର: କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ କ୍ରୀଡ଼ା ହଷ୍ଟେଲ ଅନ୍ତେବାସୀ ଏବଂ ଜାତୀୟ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି ।
ତଦନୁଯାୟୀ କ୍ରୀଡ଼ା ହଷ୍ଟେଲର ଛାତ୍ରୀମାନଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ଏବଂ ଛାତ୍ରମାନଙ୍କ ମାସିକ ଭତ୍ତା ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଜାତୀୟ କ୍ରୀଡ଼ା ଫେଡ଼େରେସନ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବା ତତୁଲ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ ।
ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କୁ ୧ ବର୍ଷ ଯାଏଁ ମାସିକ ୧ହଜାର ଟଙ୍କା ଏବଂ ରୌପ୍ୟ , ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ୧ବର୍ଷ ପାଇଁ ଭତ୍ତା ଦିଆଯିବ । କ୍ରୀଡ଼ା ହଷ୍ଟେଲରେ ରହୁଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ ।
ପଦକ ଜିତିଥିବା ଜଣେ କ୍ରୀଡ଼ାବିତ୍ ଯଦି ଜାତୀୟ ରେକର୍ଡ କରନ୍ତି ଏବଂ ସେହି ରେକର୍ଡ ବର୍ଷେ ଯାଏଁ ନ ଭାଙ୍ଗେ ତେବେ ତାଙ୍କୁ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ସାରା ବର୍ଷ ଦିଆଯିବ । ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡ଼ାବିତ୍ମାନଙ୍କୁ ମଧ୍ୟ ବର୍ଷକ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ ।
କ୍ରୀଡ଼ା ବିଭାଗ କୋଚ୍ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡ଼ା ବିଭାଗ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦ୍ଦେର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଉପରେ ଗୁରୁତ୍ୱ ଦେଉଥିବାରୁ ଅଧିକରୁ ଅଧିକ ପିଲା କ୍ରୀଡ଼ା ପ୍ରତିଯୋଗିତା ପାଇଁ ଆଗକୁ ବଢ଼ିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଆଗକୁ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ପାଇଁ ନୂଆ ଗୌରବ ଆଣିବ ବୋଲି ଆଶା କରାଯାଉଛି । ')}