ଆଜିଠୁ ଓଡ଼ିଶା ସିଭିଲ ସର୍ଭିସ ମେନ ପରୀକ୍ଷା

1 min read

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ୍ ମେନ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଦିନରେ ଓଡିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବ ।

ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗର ସଦସ୍ୟମାନେ ସ୍କ୍ବାଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ତଦାରଖ କରିବେ । ସଂକ୍ରମଣ ପାଇଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ । ଅନେକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବାରୁ ତାରିଖ ଘୁଞ୍ଚାବାକୁ ଦାବି ଉଠିଥିଲା । ମାତ୍ର କଟକଣାରେ ପରୀକ୍ଷା କରିବାକୁ ଓପିଏସସି ନିଷ୍ପତ୍ତି ନେଇଥିଲା । ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧି ନଥିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ପରୀକ୍ଷା ଅଧିକାରୀମାନେ ତଦାରଖ ସମୟରେ ମାସ୍କ ଖୋଲା ରଖିପାରିବେ । ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହିତ କେନ୍ଦ୍ରରେ ସାନିଟାଇଜରର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା ନିୟମ ପାଳନ କରିବାକୁ ଗାଇଡ ଲାଇନରେ କୁହାଯାଇଛି । ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

Leave a Reply