ମାସକ ଭିତରେ କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପୱେ

ଭୁବନେଶ୍ୱର: ଆସନ୍ତା ଏକ ମାସ ଭିତରେ କାର୍ଯ୍ୟକ୍ଷମ ହେବ ନନ୍ଦନକାନନର ରୋପଓ୍ବେ । ଚଳିତ ପର୍ଯ୍ୟଟନ ଋତୁରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ନନ୍ଦନକାନନ ଆସିବାର ସମ୍ଭାବନା ଥିବାରୁ ରୋପଓ୍ବେ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ରୋପଓ୍ବେରେ ଦୈନିକ ପ୍ରାୟ 3 ହଜାର ପର୍ଯ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ପର୍ଯ୍ୟଟକମାନେ ବଟାନିକାଲ ଓ ଜୁଲୋଜିକାଲ ଗାର୍ଡେନ ମଧ୍ୟରେ ସିଧାସଳଖ ଯିବା ଆସିବା କରିପାରିବେ ।

ନନ୍ଦନକାନନ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ପର୍ଯ୍ୟଟକଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚୂଡ଼ଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅଞ୍ଚଳରେ ବାଘ, ସିଂହ, ଭାଲୁ ଓ ତୃଣଭୋଜି ଜୀବଜନ୍ତୁଙ୍କ ପାଇଁ ସଫାରି ନିର୍ମାଣ କରାଯିବ । ସଫାରି ମଧ୍ୟରେ ପର୍ଯ୍ୟଟକମାନଙ୍କ ବୁଲିବା ବ୍ୟବସ୍ଥା ଓ ପ୍ରାଣୀ ଚିକିତ୍ସାକେନ୍ଦ୍ର ରହିବ ।

୯ କୋଟି ଟଙ୍କାରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ସୁରେଶ ମହାପାତ୍ର । ହ୍ରଦରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା କରାଯିବ । ବଟାନିକାଲ ଗାର୍ଡେନ ସମ୍ମୁଖରେ ଗେଟ୍‌ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସମ୍ପର୍କରେ ଅବଗତ ହେବା ସହ ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି  ।