ଆଜି ସ୍ୱାଭିମାନ ଅଞ୍ଚଳ ଯିବେ ମୁଖ୍ୟ ଶାସନ ସଚିବ, ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳରେ କରିବେ ବିକାଶର ସମୀକ୍ଷା

କୋରାପୁଟ: ଆଜି ସ୍ୱାଭିମାନ ଅଞ୍ଚଳରେ ବିକାଶର ସମୀକ୍ଷା କରିବେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ମୁଖ୍ୟ ଶାସନ ସଚିବଙ୍କ ୩ ଦିନିଆ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତର ଆଜି ଦ୍ୱିତୀୟ ଦିନ । ଗତକାଲି ମାଲକାନିଗିରିରେ ସେ ଅନେକ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଆଜି ଚିତ୍ରକୋଣ୍ଡା ଓ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରିଛନ୍ତି । ଏହା ଅଧିନରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସେ ସମୀକ୍ଷା କରିବେ । ଏହାପରେ କୋରାପୁଟ ଜିଲ୍ଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅପରାହ୍ନରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ପରଖିବେ । ଏହା ସହିତ ଜଗନ୍ନାଥ ସାଗରର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା ଏବଂ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କୋଟିଆ, ଦେଓମାଳି ପରିଦର୍ଶନ କରି ଉପାନ୍ତ ଅଞ୍ଚଳରେ ସରକାରୀ ଯୋଜନାର ଅନୁଧ୍ୟାନ କରିବେ ମୁଖ୍ୟ ଶାସନ ସଚିବ ।