ଆଜି ରଜ ସଂକ୍ରାନ୍ତି, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଉଠୁଛି ପଡୁଛି ଗାଁ ଦାଣ୍ଡ । ଦୋଳି ଖେଳରେ ମସଗୁଲ ଝିଅ, ବୋହୂ  । ସବୁଠି ଉତ୍ସାହର ମାହୋଲ  । ଆଦ୍ୟ ଆଷାଢର ପହିଲି ପୁଲକରେ ପୁଲ୍ଲକିତ ଧରା । ରଜପର୍ବର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଦୋଳି ଘରେ ଘରେ ବନ୍ଧା ହେବା ସହ ବିଭିନ୍ନ ସ୍ଥାନରେ ଦୋଳିର ଆୟୋଜନ କରାଯାଇଛି। ଦୋଳିଖେଳିବାକୁ ପିଲାଠାରୁ କିଶୋରୀଙ୍କ ପର୍ଯ୍ୟନ୍ତ ଭିଡ଼ ଦେଖିବାକୁ ମିଳୁଛି। ପ୍ରତି ଗାଁ ଗାଁରେ ଆୟୋଜନ ହୋଇଛି ଦୋଳି ଖେଳ ପ୍ରତିଯୋଗିତା  । ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ।

ରାଜଧାନୀ  ବି ହୋଇ ଉଠିଛି ଉତ୍ସବମୁଖର । ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ରଜ ମହୋତ୍ସବ । କେତେକ ସ୍ଥାନରେ କବାଡ଼ି ପ୍ରତିଯୋଗିତା ହେଉଛି । କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ନେଉଛନ୍ତି ରଜ ଦୋଳିର ମଜା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।