କରୋନା ଛାଟରେ ଝାଉଁଳି ପଡିଲା କୁମାରପୂର୍ଣ୍ଣମୀ; ଚାକଚକ୍ୟ କମିଲା, ପାର୍ବଣ ପୂରିଲା….

1 min read

ଭୁବନେଶ୍ୱର: କାକର ଭିଜା ସକାଳ ଧିମେଇ ଧିମେଇ ପଶୁଥିବ । ଶୀତର ବୈଜୟନ୍ତୀ ଆସ୍ତେ ଆସ୍ତେ ଛୁଉଁଥିବ । ବର୍ଷସାରା ଅଲୋଡା ହୋଇ ପଡୁଥିବା କମ୍ୱଳ-ଚାଦର ପୁଣି ମନେ ପଡୁଥିବେ । ହଭିଷ୍ୟାଳୀମାନେ କାର୍ତ୍ତୀକ ମାସ ପାଇଁ ପାଗ ଭିଡ଼ୁଥିବେ । ସେଇ ଭିତରେ ଧସେଇ ପଶିବ କୁଆଁର ପୁନେଇଁ ।  ଆଜି ସେଇ ଓଡିଆ ପର୍ବ କୁମାରପୂର୍ଣ୍ଣମୀ । ସବୁ ବର୍ଷ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ, ଏଥର ବି ହୋଇଛି ।

କରୋନା ଛାଟରେ ଏହି ପାର୍ବଣ ଧିମେଇ ଯାଇଛି ସତ ହେଲେ କୁଆଁରୀମାନେ ନିଜ ପର୍ବକୁ ଯଥାସମ୍ଭବ ଉପଭୋଗ କରିଛନ୍ତି । ସକାଳୁ ଉଠି ନୂଆ ଜାମା ପିନ୍ଧି ସୂର୍ଯ୍ୟଙ୍କୁ ଶୁଦ୍ଧପୂତ ଭାବେ ଖଈ ଲାଗି କରିଛନ୍ତି । ଭଲ ବରଟିଏ କାମନା କରିଛନ୍ତି । ଚଉଚା ମୂଳେ ବୃନ୍ଧାବତୀଙ୍କୁ ମୁଣ୍ଡିଆ ମାରି ଚାନ୍ଦ ଭୋଗ କରିଛନ୍ତି । ହେଲେ ସେ ଭିଡ଼ ଆଉ ନାହିଁ ।  କରୋନା ନଥିଲେ, ସାଇ ଯାକ କୁଆଁରୀ ଝିଅ ଏକାଠି ହୋଇ ଖସଖୁସିରେ ଚଉରା ମୂଳ ଫଟେଇ ପକେଇଥାନ୍ତେ । ସେସବୁ ନାହିଁ । ନିଜନିଜ ଘରେ ପୂଜା କରି ଖାଲି ଔପଚାରିକତା ସାରିଛନ୍ତି ।

 

ତାସ ଖେଳର ଆସାର ଆଉ ଗାଁ-ସାହି ପିଣ୍ଡି ଯାଏଁ ଯାଉନି । କେବଳ ଘର ଯାଏଁ ସୀମିତ ରହିଛି । ଦାଣ୍ଡ କୋଳାହୋଳ ହୋଇନି କି ପାଉଁଜିର ସୁମଧୁର ନାଦ ଗାଁ ସାରା ଶୁଭିନି । କରୋନା ଯେମିତି ସବୁ ଖୁସି ବନ୍ଧା ପକେଇ, ନାଲ ଟକମକ୍ ଆଖି ଦେଖାଇ ଆକଟ କରିଛି, ସବୁ କୁଆଁରୀକୁ । ତେବେ କୁମାରପୂର୍ଣ୍ଣମୀ ସାଙ୍ଗରେ ନେଇ ଆସେ ଆଉ ଏକ ପାର୍ବଣ । ତାହା ହେଉଛି ଗଜଲକ୍ଷ୍ମୀ ପୂଜା ।

ଢେଙ୍କାନାଳ ସହରରେ ଏଇ ପୂଜା ସବୁଠାରୁ ଅଧିକ ଧୁମଧାମରେ ପାଳିତ ହୁଏ । ସେ ଧୁମଧାମ କି ଚାକଚକ୍ୟ ତ ନାହିଁ । ହେଲେ ମା’ ଅର୍ଣ୍ଣପୂର୍ଣ୍ଣା ଅଧିଷ୍ଠିତ ହୋଇଛନ୍ତି, ନିଶ୍ଚୟ । ପୂଜା ମଣ୍ଡପରେ ଭକ୍ତଙ୍କ ରାହା ଦେଖୁଛନ୍ତି । ଭକ୍ତ ବି ଘରେ ଥାଇ ମାଙ୍କୁ କ୍ଷମା ମାଗୁଛି । କେବଳ ଢେଙ୍କାନାଳ କାହିଁକି, ଅନୁଗୁଳ, ବାଙ୍କୀ, କେନ୍ଦ୍ରପଡା ଓ ଭଦ୍ରକ ବି ଗଜଲକ୍ଷ୍ମୀ ପୂଜାକୁ ଅଳ୍ପ ବହୁତେ ପାଳୁଛି । ବିଧିବିଧାନରେ ମାଙ୍କ ପୂଜା ହେଉଛି ।

Leave a Reply