ଏଥର ଫିକା ପଡିପାରେ ଛାଡଖାଇ, ବୁଧବାରକୁ ଅପେକ୍ଷା କରିଛନ୍ତି ଲୋକେ

ଭୁବନେଶ୍ବର: ସରିଲା କାର୍ତ୍ତିକ ମାସ । ଆଜି ଛାଡଖାଇ । ଘରେ ଘରେ ଜମିବ ମାଛ ମାଂସର ଆସର । ତେବେ ଆଜି ମଙ୍ଗଳବାର ଥିବାରୁ ଅନେକ ଲୋକ ଛାଡ଼ଖାଇ ପାଳୁନାହାନ୍ତି । ଆସନ୍ତାକାଲିକୁ କିଛି ଲୋକ ଅପେକ୍ଷା କରିଛନ୍ତି । ତଥାପି ଅନେକ ସ୍ଥାନରେ ମାଛ ମାଂସ ଦୋକାନରେ ଗହଳି ଜମିଛି । କାର୍ତ୍ତିକ ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇ ବ୍ରତ ପାଳୁଥିଲେ ଲୋକେ । ଆଉ ଅପେକ୍ଷା ଥିଲା ଆଜିର ଦିନକୁ ।

ପଞ୍ଚୁକ ପରେ କାର୍ତ୍ତିକ ପୂର୍ଣ୍ଣମୀର ପରଦିନ ଅର୍ଥାତ ଆଜି ଘରେଘରେ ଆମିଷ ଭୋଜନ ହୋଇଥାଏ । ଛାଡ଼ଖାଇ ପାଳିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି । ଚାହିଦାକୁ ଦୃଷ୍ଟିରେ ରଖି ଦର ମଧ୍ୟ ସମାନ୍ୟ ଅଧିକ ରହିଛି । ଚିକେନ ଓ ମାଛ, ଚିଙ୍ଗୁଡି ଓ କଙ୍କଡ଼ା ପାଇଁ ମଧ୍ୟ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି ।