ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ

ଭୁବନେଶ୍ବର: ଆଜି ରାଜ୍ଯରେ ହେଉଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ଓ ୩୫ ବିଧାନସଭାରେ ହେଉଛି ଭୋଟ୍ ।ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬୫ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ମହିଳା । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ଅଛନ୍ତି । ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ମତଦାନ ସାବ୍ଯସ୍ତ କରୁଛନ୍ତି ।

୯୧୬୨ଟି ବୁଥ ଥିବା ବେଳେ ୧୦୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରୁଛନ୍ତି । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ଅଛନ୍ତି ।