୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଉ ମୁଣ୍ଡାରି ଭାଷା । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଅନୁସୂଚିତ ଜାତି, ଜନଜାତି ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି । ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । କଟକ ଚାରବାଟିଆ ପ୍ରତିରକ୍ଷା ପ୍ରତିଷ୍ଠାନ ପାଇଁ ବିସ୍ଥାପିତ ହୋଇଥିବା ବିସ୍ଥାପିତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଗୃହ ଯୋଜନା ଆରମ୍ଭ କରିଛନ୍ତି ସରକାର ।

ସେହିପରି ରାଜ୍ୟ ସମବାୟ ବିପଣନ ଫେଡେରେସନ ପାଇଁ ସ୍ବତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇଛି । ବ୍ଲକ ସ୍ତରରେ ଥିବା ୫୫ଟି ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ଏହାସହ ବଲାଙ୍ଗୀର, ଜୟପୁର, ମୋଟୁ ଓ ଆଠଗଡ଼ରେ ପ୍ରସ୍ତାବିତ ୪ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଭିଲେପାର୍ଲେ କେଲାଭଣି ମଣ୍ଡଳ ବିଶ୍ବବିଦ୍ୟାଳୟ । ସେହିପରି ଚାଷ ହେଉନଥିବା ବିରଳ ପାରମ୍ପରିକ ଫସଲକୁ ନୂଆ କୃଷିନୀତି ଜରିଆରେ ବହୁବିଧ ଫସଲ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏଥିପାଇଁ ରାଜ୍ୟ କାର୍ଯ୍ୟକ୍ରମ ବଜେଟରେ ଅର୍ଥ ବ୍ୟୟ ବରାଦ କରାଯିବ । ଏହାସହିତ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେହିପରି ମୌସୁମୀ ଅଧିବେଶନ ସତ୍ରାବସାନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।