ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ରାଜ୍ଯ କ୍ଯାବିନେଟରେ ୩ଟି ପ୍ରସ୍ତାବରେ ବାଜିଛି ମୋହର। ଏଣିକି ସରକାରୀ କର୍ମଚାରୀଙ୍କର ମୃତ୍ଯୁ ହେଲେ ବିବାହିତ ଝିଅଙ୍କୁ ମିଳିବ ଚାକିରି । ଓଡ଼ିଶା ବେସାମରିକ ପୁନର୍ବାସ ସହାୟତା ନିୟମାବଳୀ ୨୦୨୦ର ସଂଶୋଧନ କରାଯାଇଛି । ଏହି ନିୟମ ଅନୁସାରେ ସରକାରୀ କର୍ମଚାରୀଙ୍କର ମୃତ୍ଯୁ କ୍ଷେତ୍ରରେ ତାଙ୍କ ବିବାହିତ ଝିଅ ଓ ସାବତ ଝିଅଙ୍କୁ ଅନୁକମ୍ପା ନିଯୁକ୍ତି ମିଳିବ। ବାପାମାଆଙ୍କ ଉପରେ ନିର୍ଭରଶୀଳ ଝିଅ ଓ ସାବତ ଝିଅଙ୍କୁ ଥଇଥାନ ଭିତ୍ତିରେ ଚାକିରି ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅଗ୍ନିବୀରଙ୍କ ପାଇଁ ରାଜ୍ଯରେ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଆନୁଭୂମିକ ସଂରକ୍ଷଣ ପ୍ରସ୍ତାବକୁ କ୍ଯାବିନେଟ ମଞ୍ଜୁରୀ ମିଳିଛି । ସେମାନଙ୍କୁ ବୟସ ସୀମା ୩ ବର୍ଷ କୋହଳ ସହ ଶାରିରୀକ ଦକ୍ଷତା ପରୀକ୍ଷା ଦେବାକୁ ପଡ଼ିବନି।

ଅନ୍ଯପଟେ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଆଦାନୀ ଗୃପକୁ ଦିଆଯିବ। ସାପୁରଜି ପାଲୋନଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିମିଟେଡ ଓ ଓଡିଶା ଷ୍ଟିଭେଡର୍ସ ଲମିଟେଡରୁ ଆଦାନୀ ବନ୍ଦର ଓ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଲିମିଟେଡକୁ ଅଂଶଧନ ହସ୍ତାନ୍ତର ପ୍ରସ୍ତାବକୁ ମିଳିଛି କ୍ଯାବିନେଟ ମଞ୍ଜୁରୀ। ଏହାସହ ବନ୍ଦର ଓ ଅନ୍ତର୍ଦ୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶାଳୟ, ବାଣିଜ୍ଯ ଓ ପରିବହନ ବିଭାଗ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ମଧ୍ଯରେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ବାକ୍ଷର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।