ଉପକୃତ ହେବେ ବସ୍ତି ବାସିନ୍ଦା, ୫ ମହାନଗର ନିଗମରେ ସମାନ ସୁବିଧା

ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହୋଇଛି ଓଡ଼ିଶା ପୌର ନିଗମ ଅଧିନିୟମ ସଂପର୍କିତ ସଂଶୋଧନ ବିଲ୍ । ଏବେ ମହାନଗର ନିଗମ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ । ସେମାନଙ୍କୁ ଜମି ଅଧିକାର ଦେବା ପାଇଁ ପୂର୍ବର ଆଇନ ସଂଶୋଧନ ହୋଇଛି । ସଂଶୋଧନ ଅନୁସାରେ, ମହାନଗର ନିଗମ ଅଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବସ୍ତି ଅଞ୍ଚଳରେ ୩୦ ବର୍ଗମିଟର ପର୍ଯ୍ୟନ୍ତ ଜମି ମାଗଣାରେ ଦିଆଯିବ ।

ସର୍ବନିମ୍ନ ୪୫ ବର୍ଗମିଟର ଜମି ବସ୍ତି ବାସିନ୍ଦା ପାଇବେ । ବସ୍ତିର ଯେଉଁମାନେ ଆର୍ଥିକ ଦୁର୍ବଳ ଶ୍ରେଣୀ ହୋଇ ନ ଥିବେ, ସେମାନଙ୍କୁ ବେଞ୍ଚମାର୍କ ମୂଲ୍ୟରେ ବସ୍ତି ଅଞ୍ଚଳରେ ଜମି ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଘର ପାଇବେ । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଏହାଦ୍ବାରା ୫ଟି ମହାନଗର ନିଗମର ପ୍ରାୟ ୨ ଲକ୍ଷ ୪୦ ହଜାର ପରିବାରର ପାଖାପାଖି ୯ ଲକ୍ଷ ୭୦ ହଜାର ଲୋକ ଉପକୃତ ହେବେ ।

ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିରେ ଶତମୁଖ ବସ୍ତି ବାସୀନ୍ଦା  । ସାଧାରଣ ଲୋକଙ୍କ ପ୍ରତି ସରକାରଙ୍କ ଜନକଲ୍ୟାଣକାରୀ ଆଭିମୁଖ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି  । ଏହି ବିଲ ଶଂସୋଧନ ହେବାଦ୍ୱାରା ସାଧାରଣ ଗରିବୀ ଲୋକେ ଉପକୃତ ହୋଇପାରିବେ  । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ମାଗଣା ଜମି ମିଳିବାରେ ସହାୟକ ହେବ  । ନଗର ଉନ୍ନୟନ ମନ୍ତ୍ରୀ ନନ୍ଦିଘୋଷ ଟିଭିକୁ ଏନେଇ ସୂଚନା ଦେଇଛନ୍ତି  ।