ଆଉ କିଛି ସମୟ ପରେ ଆରମ୍ଭ ହେବ ଭୋଟ ଗଣତି: ଜାଣନ୍ତୁ କାହାର ରହିଛି ପଲ୍ଲା ଭାରି

1 min read

ବାଲେଶ୍ୱର, ତିର୍ତ୍ତୋଲ: ଆଜି ପ୍ରକାଶ ପାଇବ ଉପନିର୍ବାଚନ ଫଳ । ସ୍ପଷ୍ଟ ହେବ କିଏ ପିନ୍ଧିବ ଉପନିର୍ବାଚନ ମୁକୁଟ । କାହାର ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ? କଡା ସୂରକ୍ଷା ଭିତରେ ସକାଳୁ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି ହେବ ।  ଗଣନା ସରିବା ପରେ ଭିଭିପାଟ୍‌ର ଗଣନା କରାଯିବ  । କୋଭିଡ କଟକଣାରେ ହେବ ଭୋଟ ଗଣତି । ମୋଟ୍‌ ୨୫ ରାଉଣ୍ଡ ଗଣତି କରାଯିବ । ବାଲେଶ୍ଵର ପାଇଁ ୩ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ଓ ତିର୍ତ୍ତୋଲ ପାଇଁ ୨ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଫଳାଫଳ ଜାଣିବା ପାଇଁ ବଡ଼ ବଡ଼ TVର ବ୍ୟବସ୍ଥା କରାଯାଇଛି ।

ECI ୱେବସାଇଟରେ ପ୍ରତି ରାଉଣ୍ଡରେ ଫଳାଫଳ ଆସିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ତ୍ତିର୍ତ୍ତୋଲ ଭୋଟ ଗଣତି ପାଇଁ ବି ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । SVM କଲେଜରେ ଦୁଇଟି ହଲରେ ହେବ ତିର୍ତ୍ତୋଲ ପାଇଁ ଗଣନା  । ହଲରେ ୭ଟି ଲେଖାଏଁ ଟେବୁଲ ପଡିବ  । ଏହା ସହ ପୋଷ୍ଟାଲ ବାଲଟ୍ ପେପର ଗଣତି ପାଇଁ  ଆଉ ଗୋଟିଏ ହଲରେ ଦୁଇଟି ଟେବୁଲର ବ୍ୟବସ୍ଥା କରାଯାଇଛି  । ଗଣତି ସମୟରେ  ମାଇକ୍ରୋ ଅବଜରଭର, କାଉଣ୍ଟିଂ ଆସିଣ୍ଟାଣ୍ଡ ଓ କାଉଣ୍ଟି ସୁପର ଭାଇଜର ମୂତୟନ କରାଯାଇଛି  । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ ଫୋର୍ସ, ୩୭ ଜଣ ଅଫିସର,   ଜଣେ ଆଡିସନାଲ ଏସପି ଓ ତିନି ଜଣ ଡିଏସପି ମୁତୟନ ରହିବେ  । CRPFର ଗୋଟିଏ ପ୍ଲାଟୁନ୍ ମଧ୍ୟ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ବାଲେଶ୍ୱରର ନିର୍ବାଚନୀ ଇତିହାସ

୧୯୫୧ ଠାରୁ ୨୦୦୪ ନିର୍ବାଚନ ମଧ୍ୟରେ  ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଥର କଂଗ୍ରେସ ଓ ସିପିଆଇ ବିଜୟୀ ହୋଇଛନ୍ତି । ଏଯାବତ୍  ୪ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୩ ଥର ସିପିଆଇ ଉପରେ ଆସ୍ଥା ପ୍ରକଟ କରିଥିଲେ ଏଠାକାର ଜନତା । ଏତଦ୍‌ବ୍ୟତୀତ ପ୍ରଜା ସୋସିଆଲିଷ୍ଟ ପାର୍ଟି (ପିଏସପି) ୧୯୫୭ ଓ ୧୯୬୭ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା । ୧୯୭୭ ଜନତା ପାର୍ଟି ବିଜୟୀ ହୋଇଥିବା ବେଳେ ୧୯୯୫ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜୟୀ ହୋଇଥିଲେ ଅରୁଣ ଦେଓ ପରେ ପୁଣି ଓଜିପି ପାର୍ଟି ଟିକେଟରେ ଲଢ଼ି ୨୦୦୪ ମସିହାରେ ବିଜୟୀ ହୋଇଥିଲେ । ଏହାରି ମଝିରେ ୨୦୦୪ ମସିହାରେ ବିଜେପି ଟିକେଟରେ ଲଢ଼ି କ୍ଷମତାକୁ ଆସିଥିଲେ ଜୀବନ ପ୍ରଦୀପ ଦାଶ ।  କିନ୍ତୁ ସେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଜୀବନ । ଏବଂ ୨୦୦୯ ଏବଂ ୨୦୧୪ରେ ଲଗାତାର ଭାବେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ଗତ ସାଧାରଣ ନିର୍ବାଚନରେ ଆସନଟି ଚାଲିଗଲା ବିଜେପି ହାତକୁ । ଏଠାରୁ ଦଳୀୟ ପ୍ରାର୍ଥୀ ମଦନ ମୋହନ ଦତ୍ତ ବିଜୟୀ ହୋଇଥିଲେ । ତେବେ ତାଙ୍କ ଅକାଳ ବିୟୋଗରେ ଆସନଟି ଖାଲି ପଡ଼ିଥିଲା ଏବଂ ଏ ନେଇ ଉପ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।  ଯାହାର ଫଳାଫଳ ଆଜି ଘୋଷଣା ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବର ସମୀକରଣକୁ ଅନୁଧ୍ୟାନ କଲେ ବିଜେଡିରେ ଅନ୍ୟ ଦଳର ବହୁ ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଏଣୁ ପୂର୍ବାପେକ୍ଷା ବାଲେଶ୍ୱରରେ ବିଜେଡି ଅଧିକ ଶକ୍ତିଶାଳୀ ହୋଇଛି । ଯାହା ଭୋଟରେ ଦେଖିବାକୁ ମିଳିପାରେ ବୋଲି ମତ ପ୍ରକାଶ କରିଛନ୍ତି ରାଜନୀତିକ ବିଶେଷଜ୍ଞ ।

ତିର୍ତ୍ତୋଲର ନିର୍ବାଚନୀ ଇତିହାସ

୧୯୫୧ ଠାରୁ ଏଯାବତ୍ ତିର୍ତ୍ତୋଲ ଆସନରୁ ସର୍ବାଧିକ ଥର ପାଇଁ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । କିନ୍ତୁ ୨୦୦୯ଠାରୁ ଏହା ବିଜୁ ଜନତା ଦଳର ଗଡ଼ ପାଲଟଛି । ଏଠାରୁ ଲଗାତାର ୩ ଥର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨୦୦୯ରେ ରବୀନ୍ଦ୍ର ନାଥ ଭୋଇ, ୨୦୧୪ରେ ରାଜଶ୍ରୀ ମଲ୍ଲିକ, ୨୦୧୯ ବିଷ୍ଣୁ ଚରଣ ଦାସ ବିଜୁ ଜନତା ଦଳ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ବିଷ୍ଣୁ ଦାସଙ୍କ ବିୟୋଗରେ ଏଠାରେ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଛି । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଅପରପକ୍ଷରେ କଂଗ୍ରେସ ହିଂମାଶୁ ମଲ୍ଲିକ ଏବଂ ରାଜକିଶୋର ବେହେରାଙ୍କୁ ବିଜେପି ପ୍ରାର୍ଥୀ କରିଛି । କିନ୍ତୁ ଗତ ୩ଟି ନିର୍ବାଚନ ଟ୍ରେଣ୍ଡ ଅନୁଯାୟୀ ପ୍ରାର୍ଥୀ କିଏ ହେଉନଥାଉ କାହିଁକି ଏଠାକାର ଜନତା ବିଜୁ ଜନତା ଦଳ ପ୍ରତି ହିଁ ଆସ୍ଥା ପ୍ରକଟ କରିଛନ୍ତି । ଏଣୁ ଗତ ୩ଟି ନିର୍ବାଚନରେ ଏହି ଆସନ ପାଇଁ ୩ଜଣ ଭିନ୍ନ ଭିନ୍ନ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜୟୀ ହୋଇଥିଲେ । ଯାହ ବିଜୁ ଜନତା ଦଳ ପ୍ରତି ଥିବା ଆସ୍ଥାକୁ ପ୍ରକାଶ କରୁଛି । ଏବଂ ଏହା ଚଳିତ ନିର୍ବାଚନରେ ମଧ୍ୟ ବଜାୟୀ ରହିବ ବୋଲି ଆଶା କରାଯାଉଛି ।

Leave a Reply