୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ, ଋଣ ଉପରେ ସରକାରଙ୍କ ଭରସା
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଆର୍ଥିକବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବଜେଟରୁ ସ୍ପଷ୍ଟ ହୋଇଛି ରାଜ୍ୟ ସରକାରଙ୍କୁ ଋଣ ଉପରେ ଭରସା କରିବାକୁ ପଡ଼ିବ ।
୨୦୨୬-୨୭ ଆର୍ଥକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଆଗତ କରିଥିବା ବଜେଟରେ ୪୭ ହଜାର ୮ ଶହ କୋଟି ଟଙ୍କାର ଋଣ କରାଯିବ । ଏହି ଋଣ ଖୋଲା ବଜାର ଓ ଅନ୍ୟାନ୍ୟ ସୂତ୍ରରୁ ସଂଗ୍ରହ କରିବେ ସରକାର । ଏହାସହ ମୁଖ୍ୟମନ୍ତ୍ରୀ ଆସନ୍ତା ଆର୍ଥିକ ବର୍ଷ ଲାଗି ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଗତ ବର୍ଷ ତୁଳନାରେ ଏହା ୬.୯ ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁଥିରେ ରାଜ୍ୟ ଉତ୍ପାଦର ନାମକୁ ମାତ୍ର ଅଭିବୃଦ୍ଧି ହାର ୧୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ଘରୋଇ ଉତ୍ପାଦ ପରିମାଣ ୧୧ ଲକ୍ଷ ୭୦ ହଜାର କୋଟି ଟଙ୍କାରେ ପହଞ୍ଚି ପାରିବ ବୋଲି ଆକଳନ କରାଯାଇଛି । ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ରହିବ । ରାଜସ୍ବ ବଳକା ୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ବଜେଟରେ ପ୍ରଶାସନିକ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର କୋଟି ରହିଥିବାବେଳେ କାର୍ଯ୍ୟକ୍ରମ ଖର୍ଚ୍ଚ ୧ ଲକ୍ଷ ୮୦ ହଜାର କୋଟି ରଖାଯାଇଛି ।
୧୬ ପଦକ୍ଷେପ
ବଜେଟରେ ୧୬ଟି ନୂଆ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଭିବି ଜି ରାମ ଜି ପାଇଁ ୫ ହଜାର ୫୭୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି, ମଡେଲ ମଣ୍ଡି ପାଇଁ ଶହେ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ଶହେ କୋଟି, ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ ପାଇଁ ୨୪୦ କୋଟି, ରେଆର ଆର୍ଥ କରିଡର ପାଇଁ ୧୦ କୋଟି, ଷ୍ଟେଟ ଇନଷ୍ଟିଚ୍ୟଟ ଅଫ ଟ୍ରାନ୍ସଫରମେଟିଭ ଇନିସିଏଟିଭ, ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ଲାଗି ୧ ହଜାରେ କୋଟି, ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର, ପୁରୀରେ ୱାର୍ଲଡ ଟୁରିଜିମ ସେଣ୍ଟର, ଷ୍ଟେଟ AI ମିଶନ ଲାଗି ୨୩ କୋଟି, ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ ଲାଗି ୧୫୦ କୋଟି, ଡାଲଖାଇ ଲାଗି ୨୨୦ କୋଟି, ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ ଓ ଫିଟ ଓଡିଶା ମିଶନ ଲାଗି ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆଉ କ’ଣ ରହିଛି ବଜେଟରେ ?
ବଜେଟରେ ୧୬ଟି ଯୋଜନା ଘୋଷଣା ହୋଇଥିବାବେଳେ ପୁରୀରେ ହଜାରେ କୋଟିର ଶ୍ରୀଜଗନ୍ନାଥ ମ୍ୟୁଜିଅମ, ଲାଇବ୍ରେରୀ ହେବ । ସମର୍ପଣ ନାଁରେ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯାଇଛି । ରତ୍ନଭଣ୍ଡାର ଗଣତି ପାଇଁ ୫ କୋଟି ଖର୍ଚ୍ଚ ହେବ । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଛି । ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଦୁଇଟି ନୂତନ କ୍ୟାମ୍ପସ ପ୍ରତିଷ୍ଠା ହେବ । ଏଥିପାଇଁ ୨୭୮ କୋଟି ଖର୍ଚ୍ଚ ହେବ । ୨୦୪୭ ସୁଦ୍ଧା ୭ଟି ଓ ୨୦୩୬ ସୁଦ୍ଧା ୫ଟି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ ।
ସେହିପରି ମହାବିଦ୍ୟାଳୟ ଗୁଡିକରେ ଗାର୍ଲସ ହଷ୍ଟେଲ ନିର୍ମାଣ ପାଇଁ ନୂତନ ଯୋଜନା ଆସିବ । ପାରାଦ୍ୱୀପ ଓ ବଲାଙ୍ଗୀରରେ ଦୁଇଟି ସରକାରୀ ଇଞ୍ଜିନିଅରିଂ କଲେଜ ହେବ । ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ବର୍ଣ୍ଣ ୟୁନିଟ ନିର୍ମାଣ କରାଯିବ । ଏଥିପାଇଁ ଦୁଇ ଶହ କୋଟି ଖର୍ଚ୍ଚ ହେବ । ପିପିଲି ଚାନ୍ଦୁଆ ବଜାର ନିର୍ମାଣ ହେବା ପାଇଁ ବଜେଟରେ ବ୍ୟବସ୍ଥା ଅଛି । ଏହା ପିପିଲି ଟୋଲ ପ୍ଲାଜା ନିକଟରେ କରାଯିବ ।
ଚିଲିକା ପୁନରୁଦ୍ଧାର ନାମରେ ନୂଆ ଯୋଜନା କରାଯିବ । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଦୁର୍ବଳ ବର୍ଗ ଝିଅଙ୍କ ନାମରେ ୨୦ ହଜାର ଟଙ୍କା ସଂଚୟ ଉପକରଣ ସୃଷ୍ଟି ଓ ସ୍ନାତକ ସମାପ୍ତ ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଶକ୍ତି ସମ୍ବାଦ, ସମନ୍ବିତ ବତ୍ସଲ୍ଯ ସଦନ ଯୋଜନା ଲାଗି ୬୨ କୋଟି ଟଙ୍କା, ଉଦ୍ୟୋଗୀ ଯୋଜନା ପାଇଁ ୪୦ କୋଟି, ଅଟଳ ରକ୍ତଦାନ ଅଭିଯାନ ଯୋଜନା, CM ସମ୍ପଦ ଯୋଜନା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମାଗଣା ବହି ପାଇଁ ନୂତନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ଯୋଜନା ପାଇଁ ଶହେ କୋଟି, ଉଚ୍ଚ ଶିକ୍ଷା ସଂସ୍ଥାରେ ଛାତ୍ରୀ ହଷ୍ଟେଲ ନିର୍ମାଣ ପାଇଁ ନୂତନ ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ଏବଂ ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା, ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ବନ୍ଧୁ ଯୋଜନା, ନୂତନ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା, ନୂଆଦିଲ୍ଲୀରେ ଭବନ, ସଦନ ଏବଂ ନିବାସ ନିର୍ମାଣ ପାଇଁ ୪୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବେଙ୍ଗାଲୁରରେ ଓଡ଼ିଶା ଭବନ ନିର୍ମାଣ ପାଇଁ ୧୩ କୋଟି ବ୍ୟୟବରାଦ କରାଯାଇଛି । ସୁଭଦ୍ରା ଯୋଜନାରେ ୧୧୭ କୋଟି ବ୍ୟୟବରାଦ କରାଯାଇଛି ।
ବଜେଟରେ ଚାଷ ଓ ଚାଷୀଙ୍କ କାଇଁ କ’ଣ ?
ଧାନ ସଂଗ୍ରହ ପାଇଁ ଗୋଟିଏ ଆବର୍ତ୍ତନ ପାଣ୍ଟି ଗଠନ କରାଯିବ । ଏ ବାବଦରେ ୫ ହଜାର କୋଟି ଟଙ୍କାର ପାଣ୍ଠି ପାଇଁ ପ୍ରସ୍ତାବ ରହିଛି । ତିନି ବର୍ଷରେ ୧୧ ଲକ୍ଷ ମେଟ୍ରିକ ଟନ ଶସ୍ୟ ଗଚ୍ଛିତ ରଖିବା ପାଇଁ ନିର୍ମାଣ ହେବ ଆଧୁନିକ ଗୋଦାମ ଗୃହ । ଶ୍ରୀଅନ୍ନ ଅଭିଯାନ ପାଇଁ ବଜେଟରେ ୪ ଶହ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି । ଜଳବାୟୁ ସହନଶୀଳ କୃଷିକୁ କୃଷି ବଜେଟରେ ଗୁରୁତ୍ବ ଦିଆଯାଇଛି । ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ଗୁରୁତ୍ବ ଦିଆଯାଇଛି । ବିବିଧ କୃଷି ପାଇଁ ବଜେଟରେ ୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶୀତଳ ଭଣ୍ଡାର ପାଇଁ ୬୩ କୋଟି ଟଙ୍କା, ଉଦ୍ୟାନ କୃଷି ପାଇଁ ୫୪୪ କୋଟି, ନଦୀ ପୁନରୁଦ୍ଧାର ପାଇଁ ନୂଆ କାର୍ଯ୍ୟକ୍ରମ ସଞ୍ଜିବନୀ ଘୋଷଣା କରାଯାଇଛି । ଏବାବଦରେ ଶହେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ବ୍ଲୁ ଅର୍ଥନୀତି ବିକାଶ ପାଇଁ ମତ୍ସ୍ୟ ଚାଷୀଙ୍କୁ ଦିଆଯିବ ପ୍ରୋତ୍ସାହନ । ଚିଙ୍ଗୁଡି ଚାଷ ସଂପ୍ରସାରଣ, ଗଭୀର ସମୁଦ୍ରରେ ମତ୍ସ୍ୟ ଉତ୍ପାଦନ, ମଧୁର ଜଳ ମାଛ, କଙ୍କଡ଼ା ଚାଷ ଲାଗି ମିଳିବ ପ୍ରୋତ୍ସାହନ । ଏ ବାବଦରେ ୨ ହଜାର ୧୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗୋମାତା ସୁରକ୍ଷା ପାଇଁ ୫୭ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଛି । ଡିଜିଟାଲ ପଦ୍ଧତି ଦ୍ବାରା ରାଜ୍ୟରେ ଶହେଟି ମଡେଲ ମଣ୍ଡି ନିର୍ମାଣ କରାଯିବ । ମଣ୍ଡି ନିର୍ମାଣ ପାଇଁ ଶହେ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ୨୦୨୬-୨୭ରେ ୩୮ ଲକ୍ଷ ଚାଷୀଙ୍କୁ ପ୍ରଦାନ କରାଯିବ ୨୧ ହଜାର କୋଟି ଟଙ୍କାର ଫସଲ ଋଣ । ଋଣ ବାବଦ ସବସିଡି ଦିଆଯିବ ୧ ହଜାର ୭୦ କୋଟି ଟଙ୍କା ।

