ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ

1 min read

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ସାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା । ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ଏହା ମୋହନ ସରକାରର ପ୍ରଥମ ବଜେଟ । ଆସନ୍ତାକାଲି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଏଥିସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ୧୨ ହଜାର ମତ ମିଳିଥିଲା । ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି । ଫେବୃଆରୀରେ ହୋଇଥିବା ବଜେଟ ଆକଳନ ଠାରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧୦ ପ୍ରତିଶତ ବଢିବ ବୋଲି ଅର୍ଥନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି ।