ପୁଣି ଜାତୀୟସ୍ତରରେ ସୁନାମ ଆଣିଲା ଓଡ଼ିଶା, ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଉଲ୍ଲେଖନୀୟ

1 min read

ଭୁବନେଶ୍ବର: ପୁଣି ଜାତୀୟସ୍ତରରେ ସୁନାମ ଆଣିଲା ଓଡ଼ିଶା । ଯୋଜନାର ସଫଳ କାର୍ଯ୍ୟନ୍ବୟନ, ତୃଣମୂଳସ୍ତରରେ କାର୍ଯ୍ୟକାରିତାରେ ଓଡ଼ିଶାକୁ ପ୍ରଶଂସା  । ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମରେ ନିରନ୍ତର ଭାବେ ଓଡ଼ିଶାର ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଅକ୍ଟୋବର ମାସ ପାଇଁ ପ୍ରକାଶ ପାଇଥିବା ସାମଗ୍ରିକ ବର୍ଗର ଡେଲଟା ରାଙ୍କିଙ୍ଗରେ ରାୟଗଡ଼ା ଜିଲ୍ଲା ଭଲ ପ୍ରଦର୍ଶନ କରିଛି ।

ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଜଳସେଚନ, ଭିତ୍ତିଭୂମି ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଦି ୫ଟି ମାନଦଣ୍ଡକୁ ନେଇ ଏହି ସାମଗ୍ରିକ ରାଙ୍କିଙ୍ଗ୍ ପ୍ରକାଶ ପାଇଛି  । ଏଥିରେ ରାୟଗଡ଼ା ପୂରା ଦେଶରେ ପ୍ରଥମସ୍ଥାନ ଅଧିକାର କରିଛି । ତାଲିକାର ତୃତୀୟ ସ୍ଥାନରେ ରହିଛି ନୂଆପଡ଼ା  । ରାଜ୍ୟରେ ଫାଇଭ-ଟି ଉପକ୍ରମର ସଫଳ ଅନୁପାଳନ ଯୋଗୁଁ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ସାମିଲ ଓଡ଼ିଶାର ସାମିଲ ୧୦ ଜିଲ୍ଲା କ୍ରମାଗତ ଉନ୍ନତ ପ୍ରଦର୍ଶନ କରୁଛନ୍ତି  । ଗତ ସେପ୍ଟେମ୍ବରରେ ସାମଗ୍ରିକ ରାଙ୍କିଙ୍ଗରେ ଢେଙ୍କାନାଳ ଦେଶରେ ଚତୁର୍ଥ ସ୍ଥାନ, ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଦ୍ବିତୀୟ ଓ କନ୍ଧମାଳ ତୃତୀୟ ସ୍ଥାନ ଦଖଲ କରିଥିଲା । ଗତ ୨୦୧୮ ମସିହାରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  । ଦେଶର ଅନୁନ୍ନତ ଏବଂ ପଛୁଆ ଭାବେ ପରିଗଣିତ ୧୧୨ଟି ଜିଲ୍ଲାରେ ଦ୍ରୁତ ତଥା ଫଳପ୍ରଦ ଭାବେ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟନ୍ୱୟନ ଏବଂ ରୂପାନ୍ତରଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଓଡ଼ିଶାର ୧୦ଟି ଜିଲ୍ଲା ସାମିଲ ରହିଛି ।