୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ୍ ଅଧିନିୟମ, ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ୍

ଭୁବନେଶ୍ୱର: ୧୯ ବର୍ଷ ପରେ ବଦଳିବ ଓଡ଼ିଶା ବୋଟ୍‌ ଅଧିନିୟମ । ଦୁଇ ମାସ ଭିତରେ ନୂଆ ଓଡ଼ିଶା ବୋଟ ଅଧିନିୟମ ଆସିବ । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ । ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ନୂଆ ଅଧିନିୟମ ଅନୁସାରେ ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ୍‌ । ଯାହାର ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି । ଯାତ୍ରୀଙ୍କ ସହ ଜଳପଥରେ ପଣ୍ୟ କାରବାର ବଢ଼ିବ । ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ୍‌ । ବୋଟ୍‌ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ୍‌ ଅଧିନିୟମ ନେଇ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି ।

ସେହିପରି ଚିଲିକାରେ ଚାଲିବ ସୋଲାର ଓ ଇଲେକ୍ଟ୍ରିକ୍‌ ବୋଟ୍‌ । ୩ ମାସ ମଧ୍ୟରେ ପରୀକ୍ଷାମୂଳକ ଭାବେ ପ୍ରଥମ ସୋଲାର ବୋଟ୍‌ ଚାଲିବ । ଏହି ବୋଟ ଚାଲିଲେ ବର୍ଷକୁ ୭ ଲକ୍ଷ ଟଙ୍କା କମିବ ପରିବହନ ଖର୍ଚ୍ଚ । ପରୀକ୍ଷାମୂଳକ ସୋଲାର ବୋଟ୍‌ ଚଳାଚଳ ସଫଳ ହେଲେ ରାଜ୍ୟର ଅନ୍ୟ ଜଳପଥରେ ସୋଲାର ବୋଟ୍‌ ଚାଲିବ ବୋଲି ରାଜ୍ୟ ବନ୍ଦର ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସୂଚନା ଦେଇଛନ୍ତି ।