ବିଜେପିକୁ ନିଗମ ଚିନ୍ତା: ପଦବୀ ଦୁଇ ଶହ, ଆଶାୟୀ ହଜାରେ ଉପରେ

1 min read

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଗଠନର ୯ ମାସ ପୂରିବାକୁ ବସିଲାଣି। ଚୂଡ଼ାନ୍ତ ହୋଇପାରୁନି ନିଗମ ଓ ବୋର୍ଡ଼ ଅଧ୍ୟକ୍ଷ ତାଲିକା । ଶୀର୍ଷ ନେତୃତ୍ବଙ୍କ ବୈଠକ ବାରମ୍ବାର ବସୁଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ରାଜ୍ୟ ନେତାଙ୍କ ସହ ଆଲୋଚନା କଲେଣି । ହେଲେ ଅଙ୍କ ଛିଡୁନି । ସରକାରୀ ପଦବୀରେ ପ୍ରାୟ ୨ଶହ ନେତାଙ୍କୁ ଥଇଥାନ କରାଯିବାକୁ ଥିବା ବେଳେ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ ବଢି ଚାଲିଛି । ରାଜ୍ୟ ସଭାପତି ଚୟନ ମଧ୍ୟ ଦଳର ଗୋଷ୍ଠୀ ବିବାଦରେ ଫସିଛି ବୋଲି ଚର୍ଚ୍ଚା ହେଉଛି ।

ଜିଲ୍ଲା ଯୋଜନା କମିଟି, ସ୍ବତନ୍ତ୍ର ଉନ୍ନୟନ ପରିଷଦ, ରାଜ୍ୟ ଯୋଜନା ବୋର୍ଡ଼, ବିଭିନ୍ନ ବିଭାଗରେ ଉପଦେଷ୍ଟା, ନିଗମ ଓ ବୋର୍ଡ଼ ଭଳି ଥଇଥାନ ପଦବୀରେ ଶତାଧିକ ନେତାଙ୍କୁ ନିଯୁକ୍ତି କରିବାକୁ ଦଳ ଯୋଜନା କରୁଛି । ଏଥିପାଇଁ ଏକ୍ସରସାଇଜ ଆରମ୍ଭ ହୋଇଛି । ପରାଜିତ ବିଧାୟକ ପ୍ରାର୍ଥୀ, ବିଧାୟକ, ଛାମୁଆ ନେତା, ପୁରୁଣା କର୍ମକର୍ତ୍ତାଙ୍କୁ ପ୍ରାଥମିକତା ମିଳିବ ବୋଲି ଜଣାପଡ଼ିଛି । ତାଲିକା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ ପ୍ରବଳ ଅସନ୍ତୋଷ ଆଶଙ୍କାରେ ଘୋଷଣା ହୋଇପାରୁନି । ଜାତୀୟ ଦଳ ହୋଇଥିବାରୁ ସବୁ କଥାରେ କେନ୍ଦ୍ରୀୟ ନେତୃତ୍ବଙ୍କ ଇସାରାକୁ ଅପେକ୍ଷା କରିବାକୁ ପଡୁଛି ।

ସରକାରରେ ସ୍ଥାଣୁତା, ସଙ୍ଗଠନରେ ଅସ୍ଥିରତା । ବାରମ୍ବାର ଫେଲ୍ ମାରୁଛି ରାଜ୍ୟ ସଭାପତି ଚୟନ ଡେଡଲାଇନ । ରାଷ୍ଟ୍ରୀୟ ଅଧ୍ୟକ୍ଷ-ରାଜ୍ୟ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ବି ଏହା କେବଳ ଲୋକ ଦେଖାଣିଆ । ଏପରିକି ଆଶାୟୀଙ୍କୁ ଲବି ଓ ଗଣମାଧ୍ୟମରୁ ଦୂରେଇ ରହିବାକୁ ଏକ ପ୍ରକାର ତାଗିଦ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିଜସ୍ବ ସୂତ୍ରରୁ ଇନପୁଟ ସଂଗ୍ରହ କରୁଛି କେନ୍ଦ୍ର ବିଜେପି ନେତା । କେନ୍ଦ୍ରରୁ ଯେଉଁ ତାଲିକା ଚୂଡ଼ାନ୍ତ ହେବ, ତାହା ଘୋଷଣା କରିବାକୁ ରାଜ୍ୟ ବିଜେପି ବାଧ୍ୟ । ବିଜେପି ଅପ୍ରତ୍ୟାଶିତ ବିଜୟ ପରେ ତୃଣମୂଳ ସ୍ତରରେ ପଦପଦବୀ ପାଇଁ ସମସ୍ତଙ୍କ ଆଶା ବଢି ଚାଲିଛି । ପରାଜିତ ବିଧାୟକ ପ୍ରାର୍ଥୀ, ନିର୍ବାଚନରେ ନଲଢି ସଙ୍ଗଠନରେ ଲାଗିଥିବା ନେତା, ନିର୍ବାଚନ ପୂର୍ବରୁ ଦଳରୁ ଦୂରେଇ ଯାଇଥିବା ନେତା, କୋଣଠେସା ହୋଇଥିବା ନେତା, ଆମଦାନୀ ନେତା ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି । ସାଂସଦ ଓ ବିଧାୟକ ଗୋଷ୍ଠୀଙ୍କ ଛକାପଞ୍ଚା ବି ବିଳମ୍ବର ଆଉ ଏକ କାରଣ ହୋଇଛି ।

ବିଜେପି ଓ ସରକାର ମଧ୍ୟରେ ସମନ୍ବୟ ରଖିବା ଏବେ ନେତୃତ୍ବଙ୍କ ପାଇଁ ଅଗ୍ନି ପରୀକ୍ଷା ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ପରେ ରାଜ୍ୟ ସଭାପତି ଦ୍ବିତୀୟ କ୍ଷମତା କେନ୍ଦ୍ର ହେବାକୁ ଯାଉଥିବାରୁ ଏହି ପଦ ଉପରେ ସମସ୍ତଙ୍କ ନଜର ରହିଛି । ଆଗ ନିଗମ ବୋର୍ଡ଼ ଅଧ୍ୟକ୍ଷ ତାଲିକା ନା ରାଜ୍ୟ ସଭାପତି ଘୋଷଣା ତାହାକୁ ନେଇ ଜାରି ରହିଛି ସସପେନ୍ସ ।