ଦଳୀୟ ସାଂସଦଙ୍କ ବିରୋଧରେ ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ଫେରାଦ ହେଲେ ବିଜେପି ନେତା

ଭୁବନେଶ୍ୱର: ରାଜ୍ୟ ବିଜେପିରେ ତୀବ୍ର ହୋଇଛି କନ୍ଦଳ । ଦଳର ରାଜ୍ୟ ସଭାପତିଙ୍କ ସହ ବିଜେପିର ବହୁ ନେତା ଆଜି ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କୁ ସଂସଦରେ ଭେଟିଛନ୍ତି । ଦଳର ଜଣେ ସାଂସଦଙ୍କ କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ରାଜ୍ୟ ବିଜେପି ନେତାମାନେ ନଡ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଚର୍ଚ୍ଚା ହେଉଛି । ଦଳର ଜଣେ ସାଂସଦ ରାଜ୍ୟ ନେତାଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ବେଳେ ନିଜର ସ୍ୱତନ୍ତ୍ର ସଂଗଠନ ଗଢ଼ିଥିବା ରାଷ୍ଟ୍ରୀୟ ସଭାପତିଙ୍କ ନିକଟରେ ରାଜ୍ୟ ବିଜେପି ନେତାମାନେ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ।

ଏପରିକି ନିକଟରେ ଶେଷ ହୋଇଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସେ ଏକପାଖିଆ ନିଷ୍ପତ୍ତି ନେଇଥିବାର ଅଭିଯୋଗ ହୋଇଛି । ସାଂସଦ ଭାବେ ସେ ରାଜ୍ୟ ନେତାଙ୍କ ପରାମର୍ଶ କିମ୍ବା କୌଣସି ପ୍ରସଂଗରେ ରାଜ୍ୟ ସଭାପତିଙ୍କ ସହ ବିଚାର ବିମର୍ଷ ମଧ୍ୟ କରୁନାହାଁନ୍ତି । ନଡ୍ଡାଙ୍କ ନିକଟରେ ରାଜ୍ୟ ନେତାମାନେ ଏଭଳି ଅଭିଯୋଗ କରିଥିବା ଜଣାପଡ଼ିଛି ।

ସାଂସଦ ଦଳୀୟ ଶୃଙ୍ଖଳା ଓ ନୀତି ଆଦର୍ଶକୁ ଉଲଂଘନ କରୁଥିବା ସମ୍ପର୍କିତ କିଛି ଭିଡିଓ ମଧ୍ୟ ନଡ୍ଡାଙ୍କୁ ଦିଆଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସମାନ୍ତସିଂହାର ଓ ଅନ୍ୟ ବରିଷ୍ଠ ନେତାମାନେ ନଡ୍ଡାଙ୍କୁ ଭେଟି ସାଂସଦଙ୍କ କାର୍ଯ୍ୟକଳାପ ବିରୋଧରେ ଆପତ୍ତି ଜଣାଇଥିବା ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ୪ମାସ ପାଇଁ ପାରିତ ହେଲା କାମଚଳା ବଜେଟ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ