ବିଜେପି ସଦସ୍ୟଙ୍କୁ ସସ୍‌ପେଣ୍ଡ ଘଟଣା: ଧାରଣାରୁ ଓହରିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଧାରଣାରୁ ଓହରିଲେ ବିଜେପି ବିଧାୟକ । ବିଧାନସଭା ପରିସରରେ ଗତକାଲି ରାତି ତମାମ ବିଜେପି ବିଧାୟକମାନେ ଧାରଣାରେ ବସିଥିଲେ । ଗତକାଲି ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ୩ ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କୁ ନିଲମ୍ବନ କରାଯାଇଥିଲା । ଏହା ପରେ ନାଟକବାଜି ଆରମ୍ଭ କରି ଦେଇଥିଲେ ବିଜେପି ବିଧାୟକ । ସେମାନେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ପାଖରେ ଧାରଣା ଦେଇଥିଲେ । ନିଜେ ବାଚସ୍ପତି ଆସି ଧାରଣରୁ ହଟିଯିବାକୁ ଅନୁରୋଧ କରିଥିଲେ । ପ୍ରଥମେ ବିଜେପି ସଦସ୍ୟମାନେ ଧାରଣା ପ୍ରତ୍ୟାହାର ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରେ ରାତି ତମାମ ଧାରଣାରେ ବସିଥିଲେ । ଆଜି ସେମାନଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ରାଜ୍ୟ ସହ ପ୍ରଭାରୀ ଧାରଣାରେ ବସିଥିବା ବିଧାୟକଙ୍କୁ ଫଳ ରସ ପିଆଇବା ପରେ ସେମାନ ଧାରଣାରୁ ଉଠିଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବେ ବିଜେପି ବିଧାୟକ । ରାଜ୍ୟପାଳଙ୍କୁ ଭେଟି ବିଲ୍‌ ପାରିତ ହେବା ସମୟରେ ବିରୋଧୀ ଦଳର ନେତାଙ୍କୁ କହିବାକୁ ସୁଯୋଗ ନ ଦିଆଯିବା ନେଇ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରିବେ ବୋଲି କହିଛନ୍ତି । ପରିତାପର କଥା, ବିଧାନସଭା ପରି ଗଣତନ୍ତ୍ରର ପବିତ୍ର ମନ୍ଦିରରେ ନିଜ ଅଶୋଭନୀୟ ଆଚରଣକୁ ନେଇ ତିଳେ ହେଲେ ପଶ୍ଚାତାପ ବି କରିନାହାନ୍ତି ବିଜେପି ବିଧାୟକ । ସେମାନଙ୍କ ଏଭଳି ଆଚରଣକୁ ସାରା ରାଜ୍ୟ ନିନ୍ଦା କରିଛି । ସେପଟେ ୫ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ ହୋଇଥିବାରୁ ଆଜି ଓ ଆସନ୍ତାକାଲି ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ ।

Leave a Reply