୫ ଟଙ୍କା ୯୦ ପଇସାରେ ଗୁଣାତ୍ମକ ମଧ୍ୟାହ୍ନ ଭୋଜନ କେମିତି ଖାଇବେ ଛାତ୍ରଛାତ୍ରୀ ?

ଭୁବନେଶ୍ବର: ଆକାଶ ଛୁଆଁ ପରିବା ଓ ଡାଲି ଦର । ୭୦ ଟଙ୍କା ଉପରେ ପରିବା କେଜି । ଡାଲି କଥା ନକହିବା ଭଲ । ଆଉ ମଧ୍ୟହ୍ନ ଭୋଜନ ପାଇଁ ପିଲାଙ୍କ ମୁଣ୍ଡପିଛା ମିଳୁଛି ୫ ଯଙ୍କା ୯୦ ପଇସା । ଏହାରି ଭିତିରେ ପିଲାଙ୍କୁ ପୁଷ୍ଟିକର ଓ ଗୁଣଶତ୍ମକ ଖାଦ୍ୟ ଦେବାକୁ କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ସାଧାରଣ ମିଲର ଦାମ ଅତି କମରେ ୨୦ରୁ ୨୫ ଟଙ୍କା ତଳକୁ ହୋଇପାରିବ ନାହିଁ ବୋଲି କୁହାଯାଇଛି । ଅଭିଭାବକମାନଙ୍କଠାରୁ ଆରମ୍ଭ କରି ସ୍କୁଲର ପ୍ରଧାନଶିକ୍ଷକ, ଛାତ୍ର ସମସ୍ତେ ଦରଦାମ ବୃଦ୍ଧିର ବଡ଼ ପ୍ରଭାବ ମଧ୍ୟାହ୍ନ ଭୋଜନର ମାନ ଉପରେ ପଡିଥିବା କହିଛନ୍ତି । ତେଣୁ ଠିକ ଏଭଳି ସମୟରେ ମିଲର ଦର ନ ବଢ଼ାଇ ମନ୍ତ୍ରୀ ପୁଷ୍ଟିକର ଖାଦ୍ୟର କଥା କହିବାକୁ ନାପସନ୍ଦ କରାଯାଇଛି ।

ମଧ୍ଯାହ୍ନ ଭୋଜନର ମାନକୁ ନେଇ ସବୁବେଳେ ଅଭିଯୋଗ ହୋଇଆସୁଛି । ଏବେକାର କଥା ଆହୁରି ନିଆରା । ଏବେ ଚାଉଳ, ଡାଲିଠୁ ଆରମ୍ଭ କରି ପନିପରିବା ଦର ଆକାଶଛୁଆଁ । ଲୋକମାନେ ପନିପରିବା କିଣିବାକୁ ଡରୁଛନ୍ତି । ଏଭଳି ସମୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଦେବା ପାଇଁ କହିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ । ଅପପୁଷ୍ଟି ନିରାକରଣ ପାଇଁ ଏହାକୁ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । ଗୁଣାତ୍ମକ ମଧ୍ୟାହ୍ନ ଭୋଜନ ପାଇଁ ପାଚିକା ଓ ସହାୟିକାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ମନ୍ତ୍ରୀ ସେମାନଙ୍କୁ ଏ କଥା କହିଛନ୍ତି । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଅଭିଭାବକ ମହାସଂଘ । ବର୍ତ୍ତମାନ ମାର୍କେଟ ଦର ଯାହା ଅଛି ଗୋଟିଏ ସର୍ବନିମ୍ନ ମିଲର ଦାମ ୨୦ରୁ ୨୫ ଟଙ୍କା ହେବ । ମାତ୍ର ୫ ଟଙ୍କା ୯୦ ପଇସାରେ କିଭଳି ଗୁଣାତ୍ମକ ଖାଦ୍ୟ ଦିଆଯାଇ ପାରିବ ବୋଲି ପ୍ରଶ୍ନ କରିଛି ଅଭିବାବକ ମହାସଂଘ । ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ, କିନ୍ତୁ ଏତିକି ଟଙ୍କାରେ କିଭଳି ପୁଷ୍ଟିକର ଖାଦ୍ୟ ଦିଆଯାଇପାରିବ ସେ ନେଇ ସରକାର ଚିନ୍ତା କରନ୍ତୁ ବୋଲି କୁହାଯାଇଛି । ସେହିପରି ମଧ୍ୟାହ୍ନ ଭୋଜନ ଷ୍ଟିୟରିଂ କମିଟିର ପୂର୍ବତନ ସଦସ୍ୟଙ୍କ କହିବା କଥା ଛାତ୍ରଛାତ୍ରୀଙ୍କୁ ଏତିକି ଟଙ୍କାରେ ପୁଷ୍ଟିକର ଖାଦ୍ୟ ଦେବା କଥା କହିବା ଆଦୌ ଗ୍ରହଣୀୟ ନୁହେଁ । ଏପରିକି ପାଚିକା ଓ ସହାୟିକାମାନେ ସର୍ବନିମ୍ନ ମଜୁରୀ ପାଉ ନଥିବାବେଳେ ସେମାନଙ୍କ ଦୁଃଖକୁ ମଧ୍ୟ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।

ସେପଟେ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନ ଉପରେ ଦରଦାମ ବୃଦ୍ଧିର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଭୋଜନର ଗୁଣାତ୍ମକ ମାନ କମିଛି ବୋଲି ସ୍କୁଲରେ ରୋଷେଇ କରୁଥିବା ପାଚିକା, ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କହିଛନ୍ତି । ଦରଦାମ କମିଲେ ପିଲାମାନେ ପନିପରିବା ଖାଆନ୍ତେ । ପିଲାଙ୍କୁ ପୋଷଣ ଆଉ ଭିଟାମିନ ମିଳନ୍ତା । ପରିବା ଦର ଆକାଶଛୁଆଁ ଯୋଗୁଁ ପନିପରିବା କିଣିବା କମୁଥିବାରୁ ଖାଦ୍ଯର ମାନ ମଧ୍ଯ କମୁଛି । ସେପଟେ ଅର୍ଥନୀତି ସମୀକ୍ଷକଙ୍କ କହିବା କଥା ଏତିକି ଟଙ୍କାରେ ପୁଷ୍ଟିକର ଖାଦ୍ୟ ଦେବା ଅସମ୍ଭବ । ତେଣୁ ସ୍କୁଲ ଗୁଡିକ ପିଲାଙ୍କ ଉପସ୍ଥାନକୁ ବଢ଼ାଇ କମ ମାନର ଖାଦ୍ୟ ଦେବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ମିଛ ଉପସ୍ଥାନ ସଂଖ୍ୟା ବଢୁଥିବା ଅଭିଯୋଗ ହୋଇଛି ।

ପୂର୍ବରୁ ଦରଦାମ କମ ଥିବା ସମୟରେ ଏତିକି ଟଙ୍କାରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ଦର ଆକାଶଛୁଆଁ ହୋଇଥିବାରୁ ପୁଷ୍ଟିକର ଖାଦ୍ୟ କିଭଳି ସମ୍ଭବ ତାକୁ ନେଇ ପ୍ରଶ୍ନ ଉଠିଛି ।