ବୁଦ୍ଧି ଶିଖିଲା ବିଜେପି: ଆଚରଣ ଓ ଉଚ୍ଚାରଣ ପାଇଁ ନେବେ ଟ୍ରେନିଂ

ଭୁବନେଶ୍ବର: ସରକାର ଗଠନ ପରେ ବି ଟ୍ରାକକୁ ଆସିପାରୁନି ବିଜେପି । ବିଳମ୍ବ ହୋଇ ଚାଲିଛି ରାଜ୍ୟ ସଭାପତି ଚୟନ । ସରକାରର ୧୦ ମାସ ପରେ ବି ହୋଇପାରୁନି ନିଗମ ନିଯୁକ୍ତି । ମନ୍ତ୍ରିମଣ୍ଡଳରେ ବି ୬ ପଦ ଖାଲି ପଡ଼ିଛି । ସମସ୍ୟା ସୃଷ୍ଟି କରୁଛି ଦବଙ୍ଗ ନେତାଙ୍କ ଆଚରଣ ଉଚ୍ଚାରଣ । ଏଭଳି ସ୍ଥିତିରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା । ତିନି ଦିନିଆ ଗସ୍ତ ଅବସରରେ ନଡ୍ଡା ଦଳର ବିଧାୟକ, ସାଂସଦ ଓ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ତୃଣମୂଳ ସ୍ତରର ନେତାଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ପଢାଇବେ ଶିଷ୍ଟାଚାରର ପାଠ । ସଭାପତି ଓ ନିଗମ ନିଯୁକ୍ତି ନେଇ ବି ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବିଜେପି ନେତା ପଢିବେ ଶିଷ୍ଟାଚାରର ପାଠ । ସରକାର ଆସିଲା ପରେ ଉଶୃଙ୍ଖଳ ହୋଇଥିବା କର୍ମୀ ଶିଖିବେ ସଠିକ୍ ଆଚରଣ ଓ ଉଚ୍ଚାରଣ । ଜାଣିବେ ଭାଷଣ ଦେବାର କଳା କୌଶଳ । ଏଥିପାଇଁ ଆସନ୍ତା ୧୧ରୁ ୧୩ ତାରିଖ ଯାଏଁ ପୁରୀରେ ଆୟୋଜିତ ହେବ ବିଜେପିର ପ୍ରଶିକ୍ଷଣ ଶିବିର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନେତାଙ୍କୁ ଶିଖାଇବେ ନୀତି ନୈତିକତାର କଥା । ସରକାର ଗଠନ କରିବାର ୧୦ ମାସ ପରେ ବି ରାଜ୍ୟ ବିଜେପିରେ ସ୍ଥାଣୁ ଅବସ୍ଥା ଜାରି ରହିଛି । ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି, ହେଲେ ହୋଇପାରୁନି ସଭାପତି ଚୟନ । ନିଗମ ନିଯୁକ୍ତି ପାଇଁ ଶତାଧିକ ଆଶାୟୀ ଅନାଇ ବସିଛନ୍ତି, ହେଲେ ବାଟ ଫିଟୁନି । ମନ୍ତ୍ରିମଣ୍ଡଳରେ ବି ଖାଲିଥିବା ପଦ ପୂରଣ ହୋଇପାରୁନି । ଏଭଳି ସ୍ଥିତିରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି । ଏଥର ଗସ୍ତର ଫୋକସ ହେଉଛି ନେତାଙ୍କ ପାଠଶାଳା ।

ସରକାରକୁ ଆସିଲା ପରେ ବିଜେପି ନେତାଙ୍କ ଗର୍ବ ଅହଙ୍କାର ସୀମା ଟପିଲାଣି । ଲୋକେ ବି ଏହା ଦେଖୁଛନ୍ତି । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପୋଲିସକୁ ବାଡ଼େଇବା ପାଇଁ କହିବା ହେଉ କି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଓ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଆଚରଣ ପାଇଁ ଦଳ ବ୍ୟାକ ଫୁଟରେ । ତୃଣମୂଳ ସ୍ତରରେ ବିଜେପି କର୍ମୀମାନେ ତହସିଲ, ଥାନା, ବ୍ଲକରେ ଏକ ପ୍ରକାର କ୍ୟାମ୍ପ ପକାଇ ରାଜୁତି ଆରମ୍ଭ କରୁଥିବାର ଅଭିଯୋଗ ହେଉଛି । ସରକାରୀ ଦଳ ହିସାବରେ ନେତାଙ୍କ ଶାଳୀନତା ପବ୍ଲିକ ଲାଇଫରେ ଜରୁରୀ ଥିବାରୁ ଏହା ଉପରେ ଦଳ ଗୁରୁତ୍ବ ଦେଇଛି । ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ନେତା ଓ କର୍ମୀ ଶିଷ୍ଟାଚାରର ପାଠ ପଢିବେ । ନଡ୍ଡାଙ୍କ ସମେତ ଦଳର ଭେଟେରାନ ନେତା ବି ଆଚାର ବ୍ୟବହାର ଉପରେ ଟିପ୍ସ ଦେବେ ।

ଓଡ଼ିଶାରେ ବିଜେପି ଲମ୍ବା ସମୟ ଧରି ଶାସନ କ୍ଷମତାରେ ରହିବାକୁ ଯୋଜନା କରିଥିବାରୁ ନେତା ଓ କର୍ମୀଙ୍କ ଆଚରଣ, ଉଚ୍ଚାରଣ ଉପରେ ଗୁରୁତ୍ବ ଦିଆଯିବା ଜରୁରୀ । ଏହାସହ ଦଳ ଓ ସରକାର ମଧ୍ୟରେ ସମନ୍ବୟ ରଖିବା ଆବଶ୍ୟକ ଥିବାରୁ ରାଷ୍ଟ୍ରୀୟ ନେତୃତ୍ବ ଏହାର ଖସଡ଼ା ପ୍ରସ୍ତୁତ କରୁଛନ୍ତି ।