ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଓଡ଼ିଶା ବିଜେପି ହୀନ ରାଜନୀତି କରୁଛି: ବିଜେଡି

1 min read

ଭୁବନେଶ୍ୱର: ଓଏସଏସସି ଦ୍ବାରା ପରିଚାଳିତ କନିଷ୍ଟ ଯନ୍ତ୍ରୀ ପରୀକ୍ଷା ପାଇଁ ଡିଲ୍ ମାମଲାରେ ବିଜେପିର ହୀନ ରାଜନୀତିକୁ କଡ଼ା ସମାଲୋଚନା କରିଛି ବିଜେଡି । ଓଡ଼ିଶା ପୋଲିସ ଏକ ବଡ଼ ସ୍କାମର ପଦ୍ଦର୍ଫାଶ କରିଛି । ହେଲେ ଏହା ବିଜେପି ନେତାଙ୍କ ଦେହରେ ଯାଉନି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏମିତିକି ତ ନିଯୁକ୍ତି ପ୍ରସଙ୍ଗରେ ବିଜେପି ନେତା ମତ ରଖିବା ସୈତାନର ବେଦପାଠ । ଆଉ ଏହି ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇ କଂଗ୍ରେସ ଖୋଲାଖୋଲି ଭାବେ ପଦ୍ମ ଦଳ ହାତବାରିସି ସାଜିଥିବା ଜଳଜଳ ହୋଇ ଦେଖାଯାଉଛି । ସେପଟେ ଏଭଳି ଘଟଣାରେ ଛାତ୍ରଙ୍କୁ ମତାଇ ରାଜନୀତି କରିବା ଘଟଣାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।

ଚାକିରି ପାଇଁ ଡିଲ୍ ନେଇ ଖବର ଦେଲା OSSC । ତୁରନ୍ତ ଦଲାଲଙ୍କୁ ଗିରଫ କଲା ଓଡ଼ିଶା ପୋଲିସ । ହେଲେ ସାବାସି ବଦଳରେ ସମାଲୋଚନା କରୁଛି ବିଜେପି । ଓଏଏସସି ପରୀକ୍ଷାରେ ଚାକିରି ପାଇଁ ଡିଲ୍ ମାମଲାରେ ବାଲେଶ୍ବରର ପୋଲିସକୁ ମିଳିଛି ବଡ଼ ସଫଳତା । ଗିରଫ ହୋଇଛନ୍ତି ୯ଜଣ ଅଭିଯୁକ୍ତ। ପୋଲିସର ଏହି ସଫଳତାକୁ ପ୍ରଶଂସା କରିବା ବଦଳରେ ବିଜେପି ସମାଲୋଚନାର ରାଜନୀତି କରୁଛି । ଯାହାକୁ ନେଇ ଖପ୍ପା ହୋଇଛି ବିଜେଡି । ଏହି ଘଟଣାକୁ ନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଆଲର୍ଟ ମେସେଜ୍ ଜାରି କରିଥିଲା ।

ସଙ୍ଗେ ସଙ୍ଗେ ଆକ୍ସନ ମୋଡକୁ ଆସିଥିଲା ପୋଲିସ୍ । ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ କାବୁ କଲା । ଏମିତିକି ଏହି ଅଭିଯୁକ୍ତମାନେ ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ସମାନ ଅପରାଧ ଭିଆଇଥିଲେ । ବାହାର ରାଜ୍ୟ ପୋଲିସ ସେମାନଙ୍କ ପାଖରେ ପହଞ୍ଚି ପାରୁନଥିଲା । ଯାହା କରି ଦେଖାଇଛି ଓଡ଼ିଶା ପୋଲିସ । ଏହା ସହ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କିନ୍ତୁ ବିଜେପି ଯେମିତି ପ୍ରଶାସନର ସଫଳତାକୁ ସହିପାରୁନି । ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ ଓ ଅନ୍ୟ ଦଳର ନେତା ।  ବିଜେପି ସରକାରରେ ମଧ୍ୟପ୍ରଦେଶରେ ବ୍ୟାପମ ସ୍କାମ ହୋଇଥିଲା ।

ଯେଉଁଥିରେ ନିଯୁକ୍ତିରେ ହୋଇଥିଲା ବଡ଼ ଦୂର୍ନୀତି । ବତ୍ତର୍ମାନ ପଟଓ୍ବାରି ସ୍କାମରେ ବି ରହିଛି ବିଜେପି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ । ହେଲେ ଏସବୁ ଘଟଣାରେ ରାଜ୍ୟ ବିଜେପି ନେତାଙ୍କ ମୁହଁରେ ତାଲା ପଡିଛି । ସେପଟେ ରାଜ୍ୟ ବିଜେପିର ବି ଟିମ୍ ସାଜିଥିବା ରାଜ୍ୟ କଂଗ୍ରେସର ମଙ୍ଗୁଆଳ ମଧ୍ୟ କିଛି ନଜାଣି ନଶୁଣି ମିଡିଆରେ ପ୍ରତିକ୍ରିୟା ରଖୁଛନ୍ତି । ନିଯୁକ୍ତି କ୍ଷେତ୍ରରେ ଜାତୀୟ ହାର ଠାରୁ ବେଶ ଭଲ ସ୍ଥିତିରେ ରହିଛି ଓଡ଼ିଶା । ଏଭଳି ସ୍ଥିତିରେ ନିଯୁକ୍ତି ଡିଲ୍ ପୂର୍ବରୁ ଘଟଣାର ପର୍ଦ୍ଦାଫାଶ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବଂଚାଇଛି ଓଡ଼ିଶା ପୋଲିସ ଓ ପ୍ରଶାସନ । ହେଲେ ଏହାକୁ ନେଇ ବିରୋଧୀଙ୍କ ହୀନ ରାଜନୀତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।