ବିଜେପି ସରକାରରେ ଦଳିତ ଆଦିବାସୀ ଆଜି ଉପେକ୍ଷିତ !

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଧରାକୋଟରେ ଦୁଇ ଦଳିତ ଯୁବକଙ୍କୁ ଲଣ୍ଡା କରି ଘାସ ଖୁଆଇବା ଓ ନର୍ଦ୍ଦମା ପାଣି ପିଆଇବାକୁ ନେଇ ହଲଚଲ ଓଡିଶା ରାଜନୀତି । ଓଡିଶା ଦଳିତ ଓ ଆଦିବାସୀଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାକୁ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧି ଉଦବେଗ ପ୍ରକାଶ କରିଛନ୍ତି । ବିଜେଡି କହିଛି ବିଜେପି ସରକାର ଦଳିତ ଓ ଆଦିବାସୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି । ଲୋକଙ୍କ ସରକାର କଥାରେ ନୁହେଁ, କାମରେ କରି ଦେଖାନ୍ତୁ ବୋଲି ଦଳ କହିଛି । ବିଜେପି କିନ୍ତୁ ଘଟଣାକୁ ହାଲୁକା ଭାବେ ନେଇଛି ।

ଧରାକୋଟରେ ଦଳିତଙ୍କୁ ନିର୍ଯାତନା ଘଟଣା । ରାହୁଲଙ୍କ ପରେ ବିଜେପି ସରକାରଙ୍କୁ ପ୍ରିୟଙ୍କାଙ୍କ ଟାର୍ଗେଟ । ଦଳିତ, ଆସିବାସୀ ଓ ପଛୁଆବର୍ଗ ଉପେକ୍ଷିତ ନେଇ ବିଜେଡିର ଉଦବେଗ । ତଦନ୍ତ ଆଳ ଦେଖାଇ ଘଟଣାକୁ ହାଲୁକା ଭାବେ ନେଲା ବିଜେପି । ଲଣ୍ଡା କଲେ, ଆଣ୍ଠେଇକି ଗାଁ ଦାଣ୍ଡରେ ବୁଲାଇଲେ । ଘାସ ଖୁଆଇବା ସହ ନର୍ଦ୍ଦମା ପାଣି ପିଆଇଲେ । ଗଂଜାମ ଜିଲ୍ଲା ଧରାକୋଟରେ ଦୁଇଜଣ ଦଳିତ ଯୁବକଙ୍କ ପ୍ରତି ଏପରି ଅମାନବୀୟ ଆଚରଣ ଘଟଣା ଏବେ ଜାତୀୟସ୍ତରରେ ଓଡିଶାକୁ ପୁଣି ଲଜ୍ଜିତ କରିଛି । ଦଳିତ ଯୁବକଙ୍କ ପ୍ରତି କଙ୍ଗାରୁ କୋର୍ଟର ବିଚାର ବିଜେପି ସରକାରଙ୍କୁ ସିଧା ନିଶାଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ।

ଦେଶ ସମ୍ବିଧାନରେ ଚାଲିବ ମନୁସ୍ମୃତିରେ ନୁହେଁ ବୋଲି ସିଧାସିଧା ବିଜେପିକୁ ଶୁଣାଇଛନ୍ତି ରାହୁଲ । ସୋସିଆଲ ମିଡିଆରେ ଏହି ଘଟଣାକୁ ଅମାନବୀୟ କରିବା ସହ ଯେଉଁମାନେ ଜାତି ଏକ ମୁଦ୍ଦା ନୁହେଁ ବୋଲି କହୁଛନ୍ତି ସେମାନଙ୍କ ପାଇଁ ଧରାକୋଟ ଘଟଣା ଆଇନା ବୋଲି ସେ କହିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଭିଯୋଗ କରିଛନ୍ତି ଯେ ବିଜେପି ସରକାରରେ ଦଳିତ ଓ ଆଦିବାସୀମାନେ ଅବହେଳିତ ଓ ଅତ୍ୟାଚାରିତ । ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି  ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।  କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଆସନ୍ତାକାଲି ଟିମ ଘଟଣା ସ୍ଥଳକୁ ଯିବ । ଧରାକୋଟ ଘଟଣାକୁ କଂଗ୍ରେସ ଜାତୀୟସ୍ତରରେ ପ୍ରସଙ୍ଗ କରିବା ପରେ ବିଜେପି ସଫେଇ ଦେଇଛି । ତଦନ୍ତ ଆଳ ଦେଖାଇ ଘଟଣାକୁ ଅତି ହାଲକା ଭାବେ ନେଇଛି ।

ଧରାକୋଟ ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ବିଜେପି ସରକାର ଲୋକଙ୍କ ସରକାର ବୋଲି ତାକୁ କାମରେ କରି ଦେଖାନ୍ତୁ । ବିଜେପି ସରକାରରେ ରାଜ୍ୟରେ ଅରାଜକତା ବଢିଯାଇଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢିବଢି ଚାଲିଛି । ବିଜେପିର ନେତାମାନେ ଗୋସୁରକ୍ଷା ନାଁରେ ତୃଣମୂଳସ୍ତରରେ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଗୋସୁରକ୍ଷା ନାଁରେ ବିଜେପି ନେତାମାନେ ଚାନ୍ଦା ଆଦାୟ କରୁଛନ୍ତି । ତୃଣମୂଳ ସ୍ତରରେ କର୍ମୀମାନେ ଦଳିତ, ଆଦିବାସୀ ଓ ପଛୁଆଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଧରାକୋଟରେ ଯେଉଁ ଘଟଣା ଘଟିଛି ତାହା ଭାରତ ବର୍ଷରେ ଏକ ବଡ଼ ଲଜ୍ଜା । ଟ୍ରମ୍ପ ସରକାର କହିଲେ ଓଡ଼ିଶାକୁ କେହି ଯାଅନ୍ତୁ ନାହିଁ । ଏମାନେ ଲୋକଙ୍କ ଉପରେ ଅତ୍ୟାଚାର କରି ଟ୍ରମ୍ପଙ୍କ ନିର୍ଦ୍ଦେଶାବଳୀକୁ ସତ ପ୍ରମାଣିତ କରିଛନ୍ତି । ବିଜେପି ତାର ପଲିସି ପରିବର୍ତ୍ତନ କରୁ ବିଜେଡି ପରାମର୍ଶ ଦେଇଛି ।

ବିଜେପି ସରକାରକୁ ବର୍ଷେ ପୂରିଛି । ବର୍ଷକ ମଧ୍ୟରେ ଦଳିତ , ଆଦିବାସୀ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର ହୁ ହୁ ହୋଇ ବଢିଚାଲିଛି । କେତେବେଳେ କଙ୍ଗାରୁ କୋର୍ଟରେ ତ କେତେବେଳେ ବିଜେପି କର୍ମୀଙ୍କ ଦ୍ବାରା ଦଳିତ ଓ ଆଦିବାସୀ ନିର୍ଯାତନାର ଶିକାର ହେଉଛନ୍ତି । ତଥାପି ସରକାରଙ୍କ ଚେତା ପଶୁନାହିଁ ବୋଲି ମୁଖ୍ୟ ବିରୋଧୀ ବିଜେଡି ସତର୍କ କରାଇଦେଇଛି ।