ତେଜିଲା ସୈନିକ ସ୍କୁଲ ସ୍ଥାନାନ୍ତର ପ୍ରତିବାଦ: ବିରୋଧୀଙ୍କ ସହ ସ୍ବର ମିଳାଇଲେ ଶାସକ ଦଳ ପ୍ରତିନିଧି

ଭୁବନେଶ୍ବର: ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ବ୍ୟାକଫୁଟରେ ରାଜ୍ୟ ସରକାର । ପୂର୍ବରୁ ଅବସରପ୍ରାପ୍ତ ସେନା ଅଧିକାରୀ ଏହାକୁ ବିରୋଧ କରୁଥିଲେ । ଏବେ ଶାସକ ଦଳ ବିଜେପିର ନିଜ ବିଧାୟକ ବି ବିରୋଧ କରିଛନ୍ତି । ଆଜି ଗୃହ ଭିତରେ ବିଜେପି ବିଧାୟକ ଫକୀର ମୋହନ ନାୟକ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନବାଣରେ ଘେରିବା ସହ ସୈନିକ ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି । ବିଜେପି ବିଧାୟକଙ୍କ ବିରୋଧ ଯୋଗୁଁ ପୂର୍ତ୍ତମନ୍ତ୍ରୀ ସ୍ୱର ବଦଳାଇଛନ୍ତି । ଯେଉଁ ପୂର୍ତ୍ତ ବିଭାଗ ସୈନିକ ସ୍କୁଲର ନୂଆ ଜମି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ, ସେ ଆଜି ସ୍ଥାନାନ୍ତର ବାଧ୍ୟତାମୂଳକ ନୁହେଁ ବୋଲି ଗୃହରେ କହିବାକୁ ବାଧ୍ୟ ହୋଇଛନ୍ତି । ସେପଟେ ସୈନିକ ସ୍କୁଲ ଜମିକୁ ନେଇ ରାଜ୍ୟ ସରକାର ଚଞ୍ଚକତା କରି ବିଲ୍ଡରଙ୍କ ହାତକୁ ଟେକିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ କରି ପ୍ରତିବାଦ ଶାଣିତ କରିବାକୁ ଗୃହ ବାହାରେ ଚେତାବନୀ ଦେଇଛି ବିଜେଡି ।

ମୋହନ ମାଝୀ ସରକାର ଆସୁ ଆସୁ ଭୁବନେଶ୍ୱରରୁ ସୈନିକ ସ୍କୁଲ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କଲା । ଖୋର୍ଦ୍ଧା ଜିଲ୍ଲା ଭିତରେ ନୂଆ ସୈନିକ ସ୍କୁଲ ପାଇଁ ଜମି ଦେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ପୂର୍ତ୍ତ ବିଭାଗ । ସେ ସମୟରେ ଗୃହ ଭିତରେ ଏହା ବିରୋଧରେ ବିଜେଡି ସ୍ୱର ଉଠାଇଥିବା ବେଳେ ଗୃହ ବାହାରେ ପ୍ରତିବାଦ କରିଥିଲେ ଅବସରପ୍ରାପ୍ତ ସେନା ଅଧିକାରୀ । ହେଲେ ସରକାର ଶୁଣିଲେ ନାହିଁ । ଆଜି କିନ୍ତୁ ଗୃହ ଭିତରେ ସରକାରଙ୍କ ସ୍ୱର ନରମ ପଡିଛି । କାରଣ ଆଜି ନିଜ ଦଳର ବିଧାୟକ ସରକାରଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ।

ସୈନିକ ସ୍କୁଲ ସ୍ଥାନାନ୍ତରକୁ ବିରୋଧ କରି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଗୃହ ଭିତରେ ଘେରିଛନ୍ତି ବିଜେପି ବିଧାୟକ ଫକୀର ମୋହନ ନାୟକ । ପୁରୁଣା ସ୍ଥାନରୁ ସୈନିକ ସ୍କୁଲ ନଉଠାଇ ବିକଳ୍ପ ଭାବେ ୭ ଶହ ମିଟର ଫ୍ଲାଏ ଓଭର ପାଇଁ ସେ ପରାମର୍ଶ ଦେଇଛନ୍ତି । ନିଜ ବିଧାୟକଙ୍କ ଏପରି ଦାବି ପାଇଁ ବ୍ୟାକଫୁଟରେ ପଡିଥିବା ପୂର୍ତ୍ତ ମନ୍ତ୍ରୀ ବାଧ୍ୟ ହୋଇ କହିଲେ, ସେଠାରେ ଫ୍ଲାଏ ଓଭର କରିବା ସମ୍ଭବ ନୁହେଁ । ହେଲେ କେହି ଜବରଦସ୍ତ ସୈନିକ ସ୍କୁଲକୁ ହଟାଇ ପାରିବେ ନାହିଁ । ଏହା ସୈନିକ ସ୍କୁଲ ମ୍ୟାନେଜମେଣ୍ଟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଉପରେ ନିର୍ଭର କରେ । ବିଭିନ୍ନ ରାଜ୍ଯରେ ସୈନିକ ସ୍କୁଲ ସହର ବାହାରେ ଥିବାରୁ ସରକାର ସ୍ଥାନାନ୍ତର ନିଷ୍ପତ୍ତି ନେଇଥିଲେ ।

ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ବିଜେଡି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ବିଜେପି ସଦସ୍ୟ ଫକୀର ମୋହନ ନାୟକ ସୈନିକ ସ୍କୁଲରେ ପୂର୍ବତନ ଛାତ୍ର । ରଣେନ୍ଦ୍ର ଗତ ବିଧାନସଭାରେ ସୈନିକ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତିକୁ ଗୃହରେ ବିରୋଧ କରିଥିଲେ । କାରଣ ସୈନିକ ସ୍କୁଲ ଜମିକୁ ବିଲ୍ଡରଙ୍କ ହାତକୁ ସରକାର ଟେକି ଦେବାର ଷଡଯନ୍ତ୍ରର ଗନ୍ଧକୁ ବାରିଛି ବିଜେଡି । ସୈନିକ ସ୍କୁଲ ଭୁବନେଶ୍ୱରରେ ରହୁ, ଆବଶ୍ୟକ ପଡିଲେ, ଏହାର ଦ୍ଵିତୀୟ କ୍ୟାମ୍ପସ ଖୋର୍ଦ୍ଧା ଶରଧାପୁରରେ କରିବାକୁ ବିଜେଡି ଦାବି କରିଛି ।

ରାଜ୍ୟବାସୀ ସିନା ବିଜେପିର ଓଡ଼ିଆ ଅସ୍ମିତା ନାରାକୁ ବିଶ୍ୱାସ କରି ଭୋଟ ଦେଲେ । ହେଲେ ଧୀରେ ଧୀରେ ସରକାରଙ୍କ ଓଡ଼ିଆ ଅସ୍ମିତା ବିରୋଧୀ ଆଚରଣରେ କ୍ଷୁବ୍ଧ ହେଲେଣି । ଏବେ ତ ବିଜେପି ସଦସ୍ୟ ବି ପ୍ରଶ୍ନ କରିବା ଆରମ୍ଭ କଲେଣି । ଯାହା ସରକାରଙ୍କ ନିଷ୍ପତ୍ତିର ଟାଳଟୁଳ ନୀତିକୁ ପଦାରେ ପକାଉଛି ।