କୁଆଡ଼େ ଗଲା ୯୦ ଦିନରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରତିଶ୍ରୁତି ?

ଭୁବନେଶ୍ବର: କୁଆଡ଼େ ଗଲା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତ ପ୍ରତିଶ୍ରୁତି ? ୨୦୨୪ ନିର୍ବାଚନରେ ବିଜେପି କ୍ଷମତାକୁ ଆସିଲେ ୯୦ ଦିନ ଭିତରେ ଅର୍ଥ ଫେରସ୍ତ କରିବ ବୋଲି କଥା ଦେଇଥିଲା । ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ମନେ ପକାଇଲେ ବି ମିଳୁନି ଉତ୍ତର । ଅଭିଯୋଗ ହୋଇଛି ରାଜ୍ୟରେ ବିଜେପି ସରକାର ଗଢିବାର ୫ ମାସ ବିତିଲାଣି ହେଲେ ଆର୍ଥିକ କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ କଥା ଯେପରି ଭୁଲି ଯାଇଛନ୍ତି । ମନ୍ତ୍ରୀମାନେ କହୁଛନ୍ତି ଏ ନେଇ ଅନୁଧ୍ୟାନ କରାଯାଉଛି । ସେପଟେ ଆର୍ଥିକ କ୍ଷତିଗ୍ରସ୍ତ ଆସନ୍ତା ଜାନୁଆରୀରେ ବଡ଼ ଧରଣ ବିକ୍ଷୋଭ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

କ୍ଷମତା ପାଇଁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେଲେ ପ୍ରତିଶ୍ରୁତି । କ୍ଷମତାକୁ ଆସିବା ପରେ ଆଉ ମନେ ପଡୁନି । କୁଆଡ଼େ ଗଲା ବିଜେପି ରାଜ୍ୟ ସଭାପତିଙ୍କ ଦମ୍ଭୋକ୍ତି ? କୁଆଡ଼େ ଗଲା ୯୦ ଦିନର ପ୍ରତିଶ୍ରୁତି । ଅଭିଯୋଗ ହୋଇଛି, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଫମ୍ପା ପ୍ରତିଶ୍ରୁତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ତାତିଲେଣି ଚିଟଫଣ୍ଡ ଜମାକାରୀ । ଖୋଦ ବିଜେପି ମଙ୍ଗୁଆଳଙ୍କ କଥାକୁ ଭରସା କରି ଚିଟଫଣ୍ଡ ଜମାକାରୀ ଭୋଟ ଦେଲେ । କ୍ଷମତାକୁ ଆସିବାର ୫ ମାସ ବିତିଲାଣି ହେଲେ ଏ ନେଇ ସରକାର ଏ ଯାଏଁ କିଛି ବି କରିନାହାନ୍ତି । ଚିଟଫଣ୍ଡ ସଂସ୍ଥାଙ୍କ ଦ୍ବାରା ଆର୍ଥିକ କ୍ଷତିଗ୍ରସ୍ତ ଏବେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦେଲେଣି ଚେତାବନୀ ।

ସରକାରକୁ ଆସିବା ପରେ ବୋଧେ ସରକାର ଭୁଲିଗଲେ । ସୂଚନା ଅଧିକାର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥକିଲେଣି ପଛକେ ଉତ୍ତର ପାଉନାହାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାରେ ପୁଣି ଥରେ ନିବେଦନ କରାଯାଇଛି । ଅଭିଯୋଗ ହୋଇଛି ଯେହେତୁ ସରକାରଙ୍କ ପକ୍ଷରୁ କିଛି ବି ଉତ୍ତର ମିଳୁନି । ଲାଗୁଛି ବୋଧହୁଏ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେପି ମୁଖିଆ ଏପରି କ୍ଷତିଗ୍ରସ୍ତଙ୍କୁ ଜୁମଲା ଦେଖାଇଥିଲେ । ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହୁଛନ୍ତି ସେହି ପୁରୁଣା କଥା । ସରକାର ଏ ନେଇ ଅନୁଧ୍ୟାନ କରୁଛନ୍ତି ।

ଡବଲ୍ ଇଞ୍ଜିନ ସରକାରରେ ସବୁ ଲୋକଙ୍କ ଦୁଃଖ ଦୂର ହେବ । ହେଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ ସରକାରଙ୍କଠାରୁ କିଛି ବି ଜବାବ ପାଉନାହାନ୍ତି । ଆସନ୍ତା ଜାନୁଆରୀ ମାସରେ ସରକାରଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚଳାଇଛନ୍ତି ପ୍ରସ୍ତୁତି ।