ସବୁଥିରେ ଫେଲ୍ ବିଜେପି; କୌଣସି ପ୍ରତିଶ୍ରୁତି ରଖି ପାରିନାହାନ୍ତି ମୋହନ ସରକାର

1 min read

ଭୁବନେଶ୍ବର: ବିଜେପି ସରକାରରେ ଫେଲ ମାରୁଛି ଡେଡଲାଇନ୍ । ସରକାରକୁ ୧୦ ମାସ ପୂରିଥିବା ବେଳେ ଦେଇଥିବା କୌଣସି ପ୍ରତିଶ୍ରୁତି ରଖିପାରିନାହାନ୍ତି ମୋହନ ସରକାର । ନିର୍ବାଚନ ପୂର୍ବରୁ ଚିଟଫଣ୍ଡ କ୍ଷତିଗ୍ରସ୍ତ ଅର୍ଥ ଫେରସ୍ତ କଥା କହିଥିଲେ, କ୍ଷମତାକୁ ଆସିବାର ୨୪ ଘଣ୍ଟା ଭିତରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ହେଲେ ଏଯାଏଁ ଏହାର ବିନ୍ଦୁ ବିସର୍ଗ ଆରମ୍ଭ ହୋଇନାହିଁ । ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ପ୍ରସଙ୍ଗ ହେଉ କି ଭରତପୁରରେ ପୋଲିସ-ଆର୍ମୀ ଝଗଡ଼ା ହେଉ, ସବୁଠି ଫେଲ ମାରିଛି ଡେଡଲାଇନ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ହେଉ କି ପାର୍ଟ ପ୍ଲଟ ଓ ଆପାର୍ଟମେଣ୍ଟ ପଞ୍ଜୀକରଣ, ପ୍ରତିଶ୍ରୁତି ପରିଣତ ହୋଇଛି ପ୍ରତାରଣାରେ । ସରକାରଙ୍କ ଏପରି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ ।

ବିଜେପି ସରକାରର କଥା ବଡ଼ ବଡ଼, ହେଲେ କାମ ଶୂନ । କଥା ଦେଇ ଭୁଲିଯିବା ମୋହନ ସରକାରର ଅଭ୍ୟାସ ହୋଇଗଲାଣି । ନିର୍ବାଚନ ପୂର୍ବରୁ ଚିଟଫଣ୍ଡ କ୍ଷତିଗ୍ରସ୍ତକୁ ଲୋଭ ଦେଖାଇଥିଲା ବିଜେପି । ସରକାରକୁ ଆସିବାର ୨୪ ଘଣ୍ଟା ମଧ୍ୟରେ ଅର୍ଥ ଫେରସ୍ତ କରାଯିବ । କିନ୍ତୁ ଶାସନକୁ ଆସିବା ପରେ ତାକୁ ଭୁଲିଗଲେ ମୋହନ ସରକାର । ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପରେ ଦର୍ଶନକୁ ନେଇ ଚରମ ବିଶୃଙ୍ଖଳା । ଆଇନ ମନ୍ତ୍ରୀ କହିଲେ ଜାନୁଆରୀ ୨୦ରୁ ଧାଡ଼ି ଦର୍ଶନ ହେବ । ପରେ କହିଲେ ଫେବୃଆରୀ ପହିଲାରୁ ଆରମ୍ଭ ହେବ । କିନ୍ତୁ ଏଯାଏଁ ତାହା ହେଲା ନାହିଁ । ପାର୍ଟ ପ୍ଲଟ ଓ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନର ବାଟ ମଧ୍ୟ ଫିଟୁନାହିଁ । ରାଜସ୍ବ ମନ୍ତ୍ରୀ ବାରମ୍ବାର ଗଣମାଧ୍ୟମରେ ତାରିଖ ପରେ ତାରିଖ ଦେଉଛନ୍ତି । ଏପ୍ରିଲ ପହିଲା ଥିଲା ଆଶ୍ବାସନାର ଶେଷ ତାରିଖ । ଏ ନେଇ କିଛି ବାଟ ବାହାରି ନାହିଁ । ସରକାରଙ୍କ ଏପରି ଦୋମୁହାଁ ଆଭିମୁଖ୍ୟକୁ ନେଇ ବର୍ଷିଛି କଂଗ୍ରେସ ।

କେବଳ ସେତିକି ନୁହଁ, ବିରୋଧୀ ଦଳରେ ଥିବା ବେଳେ ଧାନ କିଣା ଅନିୟମିତତାକୁ ନେଇ ରାସ୍ତାକୁ ଓହ୍ଲାଉଥିଲା ବିଜେପି । ସରକାରକୁ ଆସିଲା ପରେ କହିଲେ ଚାଷୀଙ୍କ ଧାନରେ କିଛି କଟନୀ ଛଟନୀ ହେବ ନାହିଁ । ହେଲେ ନୂଆ ସରକାରରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ । ଏଠି ବି ଫେଲ୍ ମାରିଲା ପ୍ରତିଶ୍ରୁତି । ପୂର୍ବତନ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଲେ, ଏହାକୁ ନେଇ ରାଜ୍ୟ ସାରା ହୁଲସ୍ତୁଲ ହେଲା । ଆଇନ ମନ୍ତ୍ରୀ କହିଲେ, ଜିଲ୍ଲାପାଳଙ୍କ ରିପୋର୍ଟ ପରେ ହେବ କାର୍ଯ୍ୟନୁଷ୍ଠାନ । ଏବେ ସୁଦ୍ଧା ଜଣାପଡ଼ିନି ଜିଲ୍ଲାପାଳ କି ରିପୋର୍ଟ ଦେଲେ । ଅଭିଯୁକ୍ତ ବିରୋଧରେ କୌଣସି ଆକ୍ସନ ବି ହେଲାନି । ଭରତପୁରରେ ପୋଲିସ-ଆର୍ମି ଝଗଡ଼ାରେ ସରକାର ବଦନାମ ହେଲେ । ତଦନ୍ତ କମିଶନ ବସାଇଲେ, ରିପୋର୍ଟ ବି ଆସିଲା । ହେଲେ ଫଳ ଶୂନ । କୁହାଳିଆ ସରକାର କେବଳ ରଙ୍ଗ ବଦଳାଇବାରେ ମାହିର, କାମରେ ଶୂନ ବୋଲି କହିଛି ବିଜେଡି ।

କେବଳରେ ଯେ ସରକାର ଡେଡ୍ ଲାଇନରେ କାମ କରିବାରେ ଫେଲ୍ ମାରୁଛନ୍ତି, ତାହା ନୁହେଁ। ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ବାରମ୍ଵାର ମିସ୍ ହୋଇ ଯାଉଛି ଡେଡ୍ ଲାଇନ୍ । ତାରିଖ ପରେ ତାରିଖ ଦିଆଯାଉଛି । କିନ୍ତୁ ରାଜ୍ୟ ବିଜେପି ସଭାପତି ଘୋଷଣା ହୋଇପାରୁନି । ଅର୍ଥାତ ନା ବିଜେପି ସରକାର ଧାର୍ଯ୍ୟ ସମୟରେ ନିଜ ପ୍ରତିଶ୍ରୁତି ରଖିପାରୁଛନ୍ତି ନା ଠିକ୍ ସମୟରେ ଦଳୀୟ କାମ କରିପାରୁଛି । ଏସବୁ ଦେଖିଲେ, ଗୋଟିଏ କଥା ସ୍ପଷ୍ଟ, ବିଜେପିର ଉଭୟ ସରକାର ଓ ଦଳରେ ଫେଲ ମାରୁଛି ଡେଡ୍ ଲାଇନ ।