କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ସଫା: ଏବେ ପାଳି ବିଜେପିର

ଭୁବନେଶ୍ବର: କଂଗ୍ରେସ ଯେଉଁ ଭୁଲ କରିଛି, ଏବେ ସେଇ ରାସ୍ତାରେ ରାଜ୍ୟ ବିଜେପି ଯାଉଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଉଗ୍ର ହୋଇଛି । ଦଳର ବହୁ ନେତା ଦିଲ୍ଲୀରେ ଡେରା ପକାଇ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ଓଡ଼ିଶାରେ ସଫା ହୋଇଯିବା ପରି ସ୍ଥିତି ରାଜ୍ୟ ବିଜେପିର ହେବ ବୋଲି ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରଙ୍କ ଏହି କଟାକ୍ଷଭରା ବୟାନ ଏବେ ରାଜ୍ୟ ରାଜନୀତିକୁ ରୋଚକ ମୋଡ଼କୁ ନେଇଛି ।

ଦିଲ୍ଲୀ ନିଶା ରାଜ୍ୟ ରାଜନୀତିକୁ କାଳ । ଯେଉଁ ଦଳର ନେତା ଯେତେ ଦିଲ୍ଲୀ ଯିବେ, ରାଜ୍ୟରେ ସେ ଦଳ ସେତେ ସଫା ହେବ । ନେତୃତ୍ବ ଓ ନେତାଙ୍କ ମଧ୍ୟରେ କଳି ତୀବ୍ର ହେଲେ ଦଳକୁ କ୍ଷତି । କଂଗ୍ରେସ ନେତା ଦିଲ୍ଲୀ ଦୌଡ଼ି ଦୌଡ଼ି ନିଜେ ସଫା ହୋଇଯାଇଛନ୍ତି । ନେତୃତ୍ବର ମୋହ ଦଳକୁ ରସାତଳକୁ ନେଇଛି । ସର୍ବପୁରାତନ ଦଳ କଂଗ୍ରେସ ଏବେ ରାଜ୍ୟରେ ନିଜର ପରିଚୟ ଖୋଜୁଛି । ଏବେ ସେହି ରାସ୍ତାରେ ରାଜ୍ୟ ବିଜେପି । କଂଗ୍ରେସର ବିପର୍ଯ୍ୟୟରୁ ବିଜେପି ନେତା କିଛି ନଶିଖିଲେ ସାମାନ ସ୍ଥିତି ହେବ । ପଞ୍ଚାୟତ ଓ ପୌର ନିର୍ବାଚନରେ ପରାଜୟ ପରେ ବିଜେପି ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏପରି କାଟାକ୍ଷ କରିଛନ୍ତି । ଯାହାକୁ ନେଇ ଦୁଇ ଜାତୀୟ ଦଳ ଏବେ ମୁହାମୁହିଁ । ଆଉ ଦୁଇ ବିରୋଧୀଙ୍କୁ ତେରେଛା ବାଣ ମାରିଛି ବିଜେଡି ।

ସେପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନର ସ୍ବର ତୀବ୍ର ହୋଇଛି । ପିସିସିଠାରୁ ତୃଣମୂଳ ଯାଏଁ ସଂଗଠନ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି । ହାଇକମାଣ୍ଡ ରାଜ୍ୟ ସଂଗଠନ ସମ୍ପର୍କରେ ଅବଗତ ଅଛନ୍ତି, ଠିକ ସମୟରେ ନେତୃତ୍ବ ପରିବତ୍ତର୍ନ କରିବେ ବୋଲି ସେ କହିଛନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ଦ୍ବାରା ଦୁଇ ଜାତୀୟ ଦଳ ପ୍ରତ୍ୟାଖ୍ୟାତ ହେବା ପରେ ଦୁଇ ବିରୋଧୀ ଦଳଙ୍କୁ ୨୦୨୪ର ଚିନ୍ତା ଘାରିଛି । ବିଭିନ୍ନ ନେତା ପରସ୍ପରକୁ ଦୋଷ ଦେବା ବିରୋଧୀ ସଂଗଠନକୁ ଦୋହଲା ଦେଇଇଛି ।