ରାଜ୍ୟ ବିଜେପିରେ ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ହେଉଛି କନ୍ଦଳ

ଭୁବନେଶ୍ବର: ରାଜ୍ୟ ବିଜେପିକୁ ଶନିଦଶା। ରାଜ୍ୟରେ ସରକାର ଗଢିବାର ସ୍ବପ୍ନ ଦେଖୁଥିବା ବିଜେପି ପାଇଁ ସ୍ଥିତି ଅନୁକୂଳ ନୁହେଁ । ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା ପରଠାରୁ ଦଳରେ ବିବାଦ ଥମୁନାହିଁ। ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । ଦଳ ବିରୋଧରେ ବିଦ୍ରୋହ ବ୍ୟାପିବାରେ ଲାଗିଛି । ଦଳରୁ ବରିଷ୍ଠ ନେତା ଓ କର୍ମୀଙ୍କ ଇସ୍ତଫାର ସୁଅ ଜାରି ରହିଛି । ମହିଳାଙ୍କୁ ଅସମ୍ମାନ, ଟିକେଟ ବିକ୍ରି, ପକ୍ଷପାତିତା, ପ୍ରାର୍ଥୀ ଚୟନରେ ଅଣଦେଖା ଭଳି ଅଭିଯୋଗ ଦଳକୁ ଅଧିକ କ୍ଷତାକ୍ତ କରୁଛି। ରାଜ୍ୟ ବିଜେପିରେ ପ୍ରାର୍ଥୀ ଚୟନକୁ ନେଇ ତୀବ୍ର ହେଉଛି କନ୍ଦଳ। ଦକ୍ଷତା ନୁହଁ ଟଙ୍କାରେ ଟିକେଟ ମିଳୁଥିବା ସାଂଘାତିକ ଅଭିଯୋଗ । ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର,  ଅନ୍ୟତମ  ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୁଖପାତ୍ର ସୋନାଲି ସାହୁ, ନାରୀ ନେତ୍ରୀ ଇରାନୀ ରାୟ ଦଳକୁ ବାଏ ବାଏ କରିଛନ୍ତି । ସେହିଭଳି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲାର ଟାଣୁଆ ନେତା ରଘୁନାଥ ମହାନ୍ତିଙ୍କ ସମେତ ଦଳର ଅନେକ କର୍ମକର୍ତ୍ତା ଏହା ଭିତରେ ବିଜେପି ଛାଡିଛନ୍ତି । ଦଳ ଛାଡ଼ିବା ବେଳେ ନେତା ନେତ୍ରୀମାନେ ମହିଳାଙ୍କୁ ଅସମ୍ମାନ, ବିଚାରଧାରାରେ ସାଲିସ, ଆମଦାନୀ ନେତାଙ୍କୁ ଗୁରୁତ୍ବ ଦେଇ ପୁରୁଖା ସଙ୍ଗଠକମାନଙ୍କୁ ଅଣଦେଖା କରିବା ଭଳି ଅଭିଯୋଗ ଆଣିଛନ୍ତି । ଦଳରୁ କର୍ମୀ ଓ ନେତାଙ୍କ ସାମୁହିକ ଇସ୍ତଫା ଦଳରେ ବିଭ୍ରାଟ ଚାଲିଛି ଏବଂ ଏହା ନିୟନ୍ତ୍ରଣ ବାହାରେ ବୋଲି ବିଶେଷଜ୍ଞ କହିଛନ୍ତି।

ଅନୁଗୁଳରୁ ମୟୂରଭଞ୍ଜ, ବରଗଡ଼ରୁ ବାଲେଶ୍ବର, ଯାଜପୁରରୁ ଜଗତସିଂହପୁର, କେନ୍ଦ୍ରାପଡ଼ାରୁ ନୂଆପଡ଼ା, ଭଦ୍ରକରୁ କେନ୍ଦୁଝର ସବୁଠି ତେଜୁଛି ବିଜେପିର ଅନ୍ତଃକନ୍ଦଳ। ବିଧାନସଭା ପ୍ରାର୍ଥୀ ଚୟନକୁ ନେଇ ବଢୁଛି ଅସନ୍ତୋଷ। ରବିବାର ବି ରାଜ୍ୟ କାର୍ଯ୍ୟାଳୟରେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରୁ ଦଳୀୟ କର୍ମୀ ଓ ନେତାମାନେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି । ଏପଟେ ସିଟିଂ ବିଧାୟକମାନଙ୍କୁ ଦଳ ଟିକେଟ ଦେବ କି ନାହିଁ ତାହା ବି ସନ୍ଦେହ ସୃଷ୍ଟି କରିଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣା ଆସନରେ ବିଧାୟକ ଡ଼. ବୁଦାନ ମୁର୍ମୁ ଏବେ ଟିକେଟ ନେଇ ଆଶା ଆଶଙ୍କାରେ। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଏହି ଆସନ ଉପରେ ନଜର ପକାଇଥିବା ବେଳେ ବିଜେଡ଼ିରୁ ଆସିଥିବା ଆଉ ଜଣେ ପୂର୍ବତନ ବିଧାୟକ ବି ଟିକେଟ ଦୌଡ଼ରେ ଅଛନ୍ତି। ନିର୍ବାଚନ ପୂର୍ବରୁ ଅନେକ ନେତା ଦଳ ଛାଡ଼ିବା ବିଜେପି ଉପରେ କୁପ୍ରଭାବ ପକାଇବ ବୋଲି କହିଛନ୍ତି ବିଧାୟକ ବୁଦାନ ମୁର୍ମୁ।