ଓଡି଼ଆ ନୂଆବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ
ନନ୍ଦିଘୋଷ ବ୍ୟୁରୋ: ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ । ତେବେ ଏହି ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ । ଏହା ପରେ ପରେ ବିଧାନସଭାମଣ୍ଡଳିୱାରୀ ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ହେବେ ବୋଲି ଅମାତ ଗଣମାଧ୍ଯମକୁ କହିଛନ୍ତି । ଏହାପରେ କାର୍ଯ୍ୟକାରିଣୀ କମିଟି ସଦସ୍ଯ, ଷ୍ଟେଟ କାଉନସିଲ ସଦସ୍ଯ ନିର୍ବାଚିତ ହୋଇ ରାଜ୍ଯ ସଭାପତି ଚୟନ କରିବେ । ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ହେବ । ଦଳରେ କୌଣସି ସମସ୍ୟା ନଥିଲା କି ନାହିଁ ବୋଲି ସେ କହିଛନ୍ତି । ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଓଡିଆ ନବ ବର୍ଷ ପୂର୍ବରୁ ସରିବ । ଏଥିଲାଗି କମିଟି ଅଧ୍ଯକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମନ୍ବୟ କମିଟି ବୈଠକ ବସିଥିଲା । ଅନ୍ୟ କମିଟି ସଦସ୍ଯଙ୍କ ସହ ସମନ୍ୱୟ କମିଟିର ୨୩ ସଦସ୍ୟ ଉପସ୍ଥିତ ଥିଲେ । ବାକି ଅନ୍ଯମାନେ ଭର୍ଚୁଆଲରେ ଯୋଡି ହୋଇଥିଲେ ।ଦଳର ରାଜ୍ଯ ନିର୍ବାଚନ ଅଧିକାରୀ ବା ଏସଆରଓ ପ୍ରତାପ ଦେବ ମଧ୍ଯ ଉପସ୍ଥିତ ଥିଲେ । ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରଦୀପ ଆମାତ ।