ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ ପାଇଁ ଗୁରୁତ୍ୱ
ଭୁବନେଶ୍ୱର: ଖୁବ୍ ଶୀଘ୍ର ଆରମ୍ଭ ହେବ ପାନୀୟ ଜଳ ପ୍ରକଳ୍ପ ! ଏନେଇ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।
ବୈଠକରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍ର ୪୬ଟି ଗ୍ରାମକୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ, କୃଷ୍ଣ ପ୍ରସାଦ ବ୍ଲକ୍ର ୯୯ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍ର ୬୯ଟି ଗ୍ରାମ, କୃଷ୍ଣପ୍ରସାଦ ବ୍ଲକ୍ର ୭ଟି ପଞ୍ଚାୟତ, କଣାସ ବ୍ଲକ୍ର ୧୨୬ଟି ଗ୍ରାମ, ବ୍ରହ୍ମଗିରି ବ୍ଲକ୍ର ୧୮ଟି ଗ୍ରାମ, ସତ୍ୟବାଦୀ ବ୍ଲକ୍ର ୧୪ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତଥା ବ୍ରହ୍ମଗିରି, ଭଣ୍ଡାରୀକୁଦାର ଗୋବର୍ଦ୍ଧନପୁରଠାରେ ନିର୍ମାଣାଧୀନ ୫୯ଟି ଗ୍ରାମକୁ ବୃହତ୍ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି ଏବଂ ଏହି ପ୍ରକଳ୍ପଗୁଡ଼ିକୁ ଖୁବ୍ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଚିଲିକା ହ୍ରଦ ମଧ୍ୟରେ ଥିବା ମହିଷା ଓ ବ୍ରହ୍ମପୁର ଗ୍ରାମକୁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ୨ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପ ଉପରେ ଶ୍ରୀ ଦାସବର୍ମା ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଥି ସହିତ ପୁରୀ ସଦର ବ୍ଲକ୍ର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ଟି ପଞ୍ଚାୟତ ଏବଂ ପୁରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୯ଟି ପଞ୍ଚାୟତକୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ମଞ୍ଜୁର ପାଇଁ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥି ସହିତ ପୁରୀ ସଦର, ଗୋପ, ଡେଲାଙ୍ଗ, କାକଟପୁର ବ୍ଳକ୍ ଓ ଅସ୍ତରଙ୍ଗ ବ୍ଲକ୍ ତଥା ପୁରୀ ସଦର ବ୍ଲକ୍ରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏଥି ସହିତ କ୍ୱାରାଣ୍ଟାଇନ୍ ସେଣ୍ଟରଗୁଡ଼ିକରେ ଶୌଚାଳୟ ଓ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ପାଇଁ ଶ୍ରୀ ଦାସବର୍ମା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।