ଓଡ଼ିଶାକୁ ମିଳିଲା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର
1 min readଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାର 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ । ୨୦୨୧-୨୨ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି । ଖଣି ପରିଚାଳନାରେ ଓଡିଶା ଏକ ନମ୍ବର ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇବା ପରେ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
କେନ୍ଦ୍ର ସରକାର 2015ରେ ଖଣି ନୀତି ରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା 22ଟିର ଅବଧି ଶେଷ ହୋଇଥିବା ବେଳେ ଖଣିଜ ଲିଜ ସମେତ 37 ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । 5-T ପଦକ୍ଷେପ ଆଧାରରେ ଖଣିଜ ଉତ୍ତୋଳନ, ମ୍ୟାପିଂ ପାଇଁ i3MS ବ୍ୟବସ୍ଥା କରାଯାଇଛି । ଆଗକୁ ଆଉ 15ଟି ପ୍ରମୁଖ ଖଣି ଏବଂ 16ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ 107. 546 ମିଲିୟନ ଟନ୍ ହୋଇଛି ।
ପରିବହନ ହୋଇଛି 100.612 ମିଲିୟନ ଟନ । ଯାହାକି ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର 50 ପ୍ରତିଶତ କେବଳ ଓଡିଶା ପୂରଣ କରୁଛି । 2020-21ରେ 13 ହଜାର 791 କୋଟି ଟଙ୍କାର ଖଣି ରାଜସ୍ୱ ମିଳିଥିବା ବେଳେ 21-22ରେ 49 ହଜାର 530 କୋଟି ଟଙ୍କାର ଖଣି ରାଜସ୍ୱ ଆସିଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 11 ହଜାର 887 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ବିଗତ ବର୍ଷ ତୁଳନାରେ 21.78 ପ୍ରତିଶତ ଅଧିକ ।