ପୁଞ୍ଜିନିବେଶରେ ଓଡ଼ିଶା ନଂ ୨

1 min read

ଭୁବନେଶ୍ୱର: ପୁଞ୍ଜିନିବେଶର ଟପ ଡେଷ୍ଟିନେସନ୍ ଓଡ଼ିଶା। CII ରିସର୍ଚ୍ଚ ଓ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ବା ସିଏମଆଇଇ ପକ୍ଷରୁ ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟରେ ସାରା ଦେଶରେ ଓଡ଼ିଶା ପୁଞ୍ଜିନିବେଶ ଆକର୍ଷିତ କରିବାରେ ଦ୍ବିତୀୟ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୨୦.୧ଲକ୍ଷ କୋଟି ପୁଞ୍ଜିନିବେଶ ହୋଇଛି।

ଗୁଜରାଟ, ଆନ୍ଧ୍ରପ୍ରଦେଶ ପରି ବଡ଼ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ୧ ନମ୍ବର ସ୍ଥାନରେ ମହାରାଷ୍ଟ୍ର ରହିଥିବା ବେଳେ ତାଲିକାର ଶେଷରେ ରହିଛି ୟୁପି। କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା। ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ନମ୍ବର ସ୍ଥାନ ହାସଲ କରିଥିଲା। ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ୧୬ପ୍ରତିଶତ ନିବେଶ ହୋଇଥିଲା।

ତେବେ ସେହି ସମୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ଦେଶର ପୁଞ୍ଜିନିବେଶରୁ ୧୮ପ୍ରତିଶତ ଓଡ଼ିଶାରେ ହୋଇଥିଲା। ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଥିଲା ଓଡ଼ିଶା। କେବଳ ଶିଳ୍ପ ନୁହେଁ, କୃଷି କ୍ଷେତ୍ରରେ ବି ରାଜ୍ୟ ଆଗୁଆ ରହିଥିଲା। ଦେଶର ଅଭିବୃଦ୍ଧି ହାର ୨.୮୦ ପ୍ରତିଶତ ହୋଇଥିବାବେଳେ ରାଜ୍ୟରେ ୭.୬୧ ପ୍ରତିଶତ ରହିଥିଲା।