ଶିଳ୍ପ ସମୃଦ୍ଧ ରାଜ୍ୟ ତାଲିକାରେ ଓଡ଼ିଶା

1 min read

ଭୁବନେଶ୍ବର: ଦେଶର ୬ ପ୍ରମୁଖ ଶିଳ୍ପସମୃଦ୍ଧ ତଥା ସଫଳ ରାଜ୍ୟ ତାଲିକାରେ ଓଡ଼ିଶା । ୟୁଜର ଫିଡବ୍ୟାକ୍ ମେଥୋଡୋଲୋଜି ଅନୁସାରେ ଏହି ମାନ୍ୟତା ପ୍ରଦାନ କରାଯାଇଛି । କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ବ୍ୟାବସାୟିକ ସଂସ୍କାର କାର୍ଯ୍ୟକ୍ରମ ଯୋଜନା ବା ବ୍ରାପରେ ଏହି ତଥ୍ୟ ସ୍ଥାନୀତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି ରିପୋର୍ଟ ।

ଡିଜିଟାଇଜେସନ, ସ୍ବଚ୍ଛତା, ଦେଶରେ ନିବେଶକ ଆତ୍ମପ୍ରତ୍ୟୟକୁ ଆଧାର କରି ବ୍ରାପ ରିପୋର୍ଟ ପ୍ରସ୍ତୁତ ହୋଇଛି । ଡିପିଆଇଆଇଟି ଦ୍ବାର ନିର୍ଦ୍ଧାରିତ ୩୦୧ ସଂସ୍କାର ପ୍ରକ୍ରିୟା ମଧ୍ୟରୁ ୯୦ ପ୍ରତିଶତ ସଂସ୍କାରକୁ ସଫଳତାର ସହ କାର୍ଯ୍ୟକାରୀ କରିଛି । ଏହାସହ ୮୦ ପ୍ରତିଶତ ୟୁଜର ଫିଡବ୍ୟାକ ମଧ୍ୟ ହାସଲ କରିଛି । ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ପ୍ରଦତ୍ତ ନୂତନ ପାର୍-ଇ-ଶ୍ରମ ପୋର୍ଟାଲ ପ୍ରତିଷ୍ଠା କରିବା କ୍ଷେତ୍ରରେ ରାଜ୍ୟ ସଫଳତା ଲାଭ କରିଛି । ଏହି ପୋର୍ଟାଲ ଜରିଆରେ ସମସ୍ତ ସେବାକୁ ଓ୍ବାନ-ଷ୍ଟପ-ସପ୍ ଜରିଆରେ ଯୋଗାଇ ଦିଆଯାଇପାରିଥାଏ । ଏହି ପଦକ୍ଷେପ ଯୋଗୁଁ ଅନଲାଇନ ପେମେଣ୍ଟ ଜରିଆର ଅଟୋରିନିଓ୍ବାଲ, ଜମିଜମା ରେକର୍ଡରେ ଡିଜିଟାଇଜେସନ, ଅନଲାଇନ ଜରିଆରେ ଡ୍ରଗ ଲାଇସେନ୍ସ ପ୍ରଦାନ, ପରିବେଶ ମଞ୍ଜୁରୀ, ଅବକାରୀ ସେବାର ଡିଜିଟାଇଜେସନ ଆଦି ସମ୍ପନ୍ନ କରାଯାଇପାରୁଛି ।

ଏହାସହ ଓଡ଼ିଶା ଜନସେବା ଅଧିକାର ଆଇନ ଅନୁସାରେ ଓଡିଶାରେ ୪୦୦ରୁ ଅଧିକ ସେବା ପ୍ରଦାନ କରାଯାଇପାରୁଛି । ସକାରାତ୍ମକ ନିୟମ ଯୋଗୁଁ ଧାତବ, ରସାୟନ, ପେଟ୍ରୋକେମିକାଲ, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ କ୍ଷେତ୍ରରେ ବିପୁଳ ନିବେଶ ସମ୍ଭବ ହୋଇଛି ।