ଚାପରେ ଚେପା ବିଜେପି ସରକାର: ହେଲେ ଛାଡ଼ି ପାରୁନି କେନ୍ଦ୍ରମନ୍ତ୍ରୀ ମୋହ

ଭୁବନେଶ୍ବର: ଚାପରେ ଚେପା ବିଜେପି ସରକାର । ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିରୋଧୀଙ୍କ ବୟକଟ ପରେ ରାଜ୍ଯ ସରକାର ପୂରା କାର୍ଯ୍ୟକ୍ରମରେ ସଂଶୋଧନ ଆଣିଛନ୍ତି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ଯକ୍ରମରୁ ବାଦ ଦେଇପାରୁ ନାହାଁନ୍ତି ସରକାର । ନୂଆ କାର୍ଯ୍ୟସୂଚୀରେ ଉଦଘାଟନୀ ଓ ଉଦଯାପନୀ କାର୍ଯ୍ୟକ୍ରମର ଅତିଥି ବଦଳାଇଛି ସତ, ହେଲେ ଜଣଙ୍କ ବଦଳରେ ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଭରିଛି ।

ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ୧୭ ତାରିଖ ଦିନ ଉଦଘାଟନ କରିଥାନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ୧୮ ତାରିଖ ଉଦଯାପନୀ ଦିବସରେ ଯୋଗଦେଇଥାନ୍ତେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା । କିନ୍ତୁ ପରମ୍ପରା ଭଙ୍ଗ ହେଉଥିବା ଅଭିଯୋଗ ପରେ ରାଜ୍ଯ ସରକାର ଦିଗଦର୍ଶନ ପ୍ରୋଗାମରେ ଏବେ ଏହି ଦୁଇ ନେତାଙ୍କୁ ବଦଳାଇ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ବଦଳରେ କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ କିରନ ରିଜଜୁ ଏହାକୁ ଉଦଘାଟନ କରିବେ ବୋଲି ନୂଆ କାର୍ଯ୍ଯସୂଚୀ ପ୍ରସ୍ତୁତ ହୋଇଛି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡାଙ୍କ ବଦଳରେ କାର୍ଯ୍ୟକ୍ରମକୁ ଉଦଯାପନ କରିବେ ରାଜ୍ଯସଭା ଉପାଧ୍ଯକ୍ଷ ହରିବଂଶ ପ୍ରସାଦ ।

ତେବେ ଏଠି ପ୍ରଶ୍ନ ଉଠୁଛି ଗୃହରେ ସଦସ୍ଯ ନଥିବା ନେତାଙ୍କୁ କାହିଁକି ସୁଯୋଗ ମିଳୁଛି । ଦୁଇ ବିରୋଧୀ ଯେଉଁ କଥାକୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରିଦେଇଛନ୍ତି ସେଥିରେ ଅତିଥି ବଦଳିଥିଲେ ବି ଜଣେ କେନ୍ଦ୍ରମନ୍ତ୍ରୀ ହିଁ କାହିଁକି ଉଦଘାଟନ କରିବେ । ଯଥା ପୂର୍ବଂ ତଥା ପରଂ । ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କୁ ଉଦଘାଟନୀ ଓ ସମାପନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ଏବେ ଚାପ ପରେ ବି ସେହି କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି । କେବଳ ଯାହା ନାମ ବଦଳିଛି । ଏହା କ’ଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ ।

ବିଜେଡି ଅଭିଯୋଗ କରିଛି ବାଚସ୍ପତି ଓ ମୁଖ୍ଯମନ୍ତ୍ରୀ ଥାଉ ଥାଉ କାହିଁକି କେନ୍ଦ୍ରମନ୍ତ୍ରୀ ଦିଗଦର୍ଶନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନୀ କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ କିନ୍ତୁ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି । ଅନ୍ଯପଟେ ବିଧାନସଭା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା କେତେଦୂର ଯୁକ୍ତିଯୁକ୍ତି ବୋଲି କଂଗ୍ରେସ ବିଧାୟକ ରାଜେନ ଏକ୍କା ପ୍ରଶ୍ନ କରିଛନ୍ତି । ଶାସକ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ଯୁକ୍ତି ବାଢି କହିଛି, ଦଳୀୟ ଭିତ୍ତିରେ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ ।