ଆଜିଠୁ ଆରମ୍ଭ ବିଧାନସଭା ଶୀତକାଳୀନ ଅଧିବେଶନ, ହୁଲୁସ୍ତୁଲୁ ହେବ ଗୃହ

1 min read

ଭୁବନେଶ୍ୱର :  ଆଜିଠୁ ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଦିନ ୧୧ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବ । ବିଧାନସଭା କାର୍ଯ୍ୟସୂଚି ଅନୁସାରେ ପ୍ରଥମେ ଗୃହରେ ଦିବ୍ୟଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯିବ  । ଗୃହର ନେତା ମୁଖ୍ୟମନ୍ତ୍ରୀ ଆଗତ କରିବେ । ପରେ ପଞ୍ଚୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ପ୍ରଶ୍ନକାଳ ରହିଛି ।

ଅପରାହ୍ନରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିବେ । ଅନ୍ୟପଟେ ଶୀତକାଳିନ ଅଧିବେଶନ ପାଇଁ ବିଜେଡି , ବିଜେପି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ବିରୋଧୀ ଶୀତ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି। ଶାସକ ବିଜେପି ବିରୋଧୀଙ୍କୁ ମୁକାବିଲା କରିବା ପାଇଁ କାଉଁଣ୍ଟର ରଣନୀତି ପ୍ରସ୍ତୁତ କରିଛି । ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ସୋମବାର ବାଚସ୍ପତି ସର୍ବଦଳୀୟ ବୈଠକ କରି ସବୁ ଦଳର ସହଯୋଗ ଲୋଡିଥିଲେ।