ବିରୋଧୀ ଦଳ ଉପନେତାଙ୍କ ଦାବି : ବିବୃତି ରଖନ୍ତୁ ବାଚସ୍ପତି

ନନ୍ଦିଘୋଷ ବ୍ୟୁରୋ: ଗତକାଲି ଓ ଆଜି ଯାହା ଘଟିଗଲା ତାହା ଉପରେ ବାଚସ୍ପତି ଏକ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସର୍ବଦଳୀୟ ବୈଠକ ପରେ ଏହା କହିଛନ୍ତି ପ୍ରସନ୍ନ । ଦୁଇ ଦିନରେ ଯାହା ସବୁ ଘଟିଛି ତାହା ଆଦୌ ଗ୍ରହଣୀୟ ନୁହେଁ । ବାହାର ଲୋକଙ୍କୁ ଗୃହରେ ପ୍ରବେଶ କରାଇବେ, ବିଧାୟକଙ୍କୁ ଆକ୍ରମଣ କରିବେ ଏବଂ ତାଙ୍କ ସହିତ ଜୋରଜବରଦସ୍ତି କରିବେ ତାହା କେବେ ଆଗରୁ ହୋଇନଥିଲା । ବିଜୁ ଜନତା ଦଳ ବିଧାୟକଙ୍କୁ ବାହାରକୁ ଗଲାବେଳେ ଗେଟ ପାଖରେ କାହିଁକି ଅଟକାଗଲା । ସଂରକ୍ଷଣ ନେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିବାକୁ ଗଲାବେଳେ ପୋଲିସ ଅଟକାଇଥିଲା । ଦୁର୍ବ୍ଯବହାର କରିଥିଲା ପୋଲିସ । ଏଥିରେ ବିଜେଡି ସଦସ୍ଯ ଆହତ ହୋଇଛନ୍ତି । ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ ମଧ୍ଯ ଆହତ ହୋଇଛନ୍ତି ।

ଏସବୁ ଦେଖିଲେ ସରକାର ସୀମା ଅତିକ୍ରିମ କରୁନାହାଁନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ । ସେହିପରି ପ୍ରମିଳା କହିଛନ୍ତି, ପୋଲିସ ଲଗାଇ ସରକାର ଶାସନ କରିବା ଜବତ କରିବାକୁ ଦଳ ଦୃଢ ନିନ୍ଦା କରୁଛି । ଦଳର ସଦସ୍ଯ ଶାନ୍ତିପୂର୍ଣ୍ଣ ଭାବେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେବାକୁ ଯାଉଥିଲେ । ଗେଟ କଣ ପାଇଁ ବନ୍ଦ କରିଥିଲେ ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ୪୦ ଭିତରେ ପୋଲିସର କର୍ଡନ ଭାଙ୍ଗି ଯିବା କଥା କେବେ ଘଟିନଥିଲା । ବାଚସ୍ପତି ଏକଛତ୍ରବାଦ କରି ହାଉସ ଚଳାଇବା ଉଦ୍ଯମକୁ ସେ ନିନ୍ଦା କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ବାଚସ୍ପତି ଚାଲୁଛନ୍ତି । ବିରୋଧୀ ଦଳ ବିଧାୟକଙ୍କୁ ବିଶ୍ବାସକୁ ନେଉନାହାଁନ୍ତି । ଆମେ ଏସସିଏସଟି ଓବିସି ସଂରକ୍ଷଣ ଦାବି କରିଆସୁଛୁ । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ ଗଲାବେଳେ ବିଜେଡି ସଦସ୍ଯଙ୍କୁ ଧକ୍କା ମରାଗଲା। ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ପ୍ରମିଳା ।