ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ: ସୁରମା ପାଢୀ ହୋଇପାରନ୍ତି ଦ୍ବିତୀୟ ମହିଳା ବାଚସ୍ପତି

1 min read

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ । ବିଜେପି ବିଧାୟିକା ସୁରମା ପାଢୀ ହୋଇପାରନ୍ତି ବିଧାନସଭାର ନୂଆ ତଥା ଦ୍ବିତୀୟ ମହିଳା ବାଚସ୍ପତି । ସୁରମାଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ସେ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ସୁରମାଙ୍କ ବ୍ଯତୀତ ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସେ ହିଁ ନିର୍ବାଚିତ ହେବା ନିଶ୍ଚିତ ହୋଇଛି । ଆଜି ବାଚସ୍ପତି ନିର୍ବାଚନ ରହିଥିବାବେଳେ ସୁରମା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାଶ ନିଶ୍ଚିତ ହୋଇଛି ।

ଜଣେ ଅଭିଜ୍ଞ ରାଜନେତା ହେଉଛନ୍ତି ସୁରମା। ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ସୁରମା । ୨୦୦୦ ମସିହାରେ ସେ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାପତି ଥିଲେ । ଏହାଛଡ଼ା ଦଳର ବିଭିନ୍ନ ପଦପଦବୀରେ କାମ କରିଛନ୍ତି । ୨୦୦୪ରେ ୧୩ତମ ଓଡ଼ିଶା ବିଧାନସଭାକୁ ସେ ରଣପୁରରୁ ନିର୍ବାଚିତ ହୋଇଥିଲେ । ବିଜେପି- ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ଓ ୨୦୧୪ରେ ରଣପୁରରୁ ବିଜେପି ଟିକେଟରୁ ନିର୍ବାଚନ ଲଢି ସେ ପରାସ୍ତ ହୋଇଥିଲେ । ତେବେ ୨୦୨୪ରେ ରଣପୁରରୁ ଲଢି ବିଜୟୀ ହୋଇଛନ୍ତି ସୁରମା । ବିଜେଡି ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି ।