ସମ୍ମିଳିତ ଭାବେ ହେବ କରୋନା ମୁକାବିଲା, ବିଧାନସଭାରେ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: କୋଭିଡ୍‌ ବିରୋଧୀ ଲଢ଼େଇରେ ସାମିଲ ହେବେ ସମସ୍ତ ରାଜନୈତିକ ଦଳ । ସମ୍ମିଳିତ ଭାବେ କରୋନା ମୁକାବିଲା ପାଇଁ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବସିଥିବା ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସାମିଲ ହୋଇଛନ୍ତି ।

ସେହିପରି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ସଚେତକ ତାରା ପ୍ରସାଦ ବହିନୀପତି, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ,ଦାଶରଥି ଗମାଙ୍ଗ, ସନ୍ତୋଷ ସିଂ ସାଲୁଜା ବୈଠକରେ ଯୋଗ ଦେଇଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

କୋଭିଡ ମୁକାବିଲାରେ ସମସ୍ତ ଦଳର ପରାମର୍ଶକୁ ନେଇ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି । ଏହି ବୈଠକରେ ବିଜେପି ଏବଂ କଂଗ୍ରେସ ଦଳର ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଇଥିବା ବେଳେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ  ।

Leave a Reply