ଦ୍ବିତୀୟ ଦିନରେ ବି ବିଧାନସଭାରେ ଓଡ଼ିଆ ଅସ୍ମିତା ତାତି, ଗୃହ ମୁଲତବୀ

1 min read

ଭୁବନେଶ୍ବର: ବଜେଟ ଅଧିବେଶର ଦ୍ବିତୀୟ ଦିନରେ ବି ବିଧାନସଭାରେ ଓଡ଼ିଆ ଅସ୍ମିତା ତାତି । ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅଙ୍କ ମାଡ଼ ପ୍ରସଙ୍ଗରେ ଗୃହ ଅଚଳ । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କଲେ ବିରୋଧୀ । ରାଜ୍ଯପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ରାଜ୍ଯପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ଗୃହରେ ଦାବି ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ଗୃହର ମଧ୍ଯ ଭାଗରେ ବିରୋଧୀ ବିଜେଡି ସଦସ୍ଯ ପ୍ରତିବାଦ କରିଛନ୍ତି । ପ୍ରମିଳା ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ASOଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ASOଙ୍କ ବଦଳି କରିଦିଆଗଲା ।

ଏଏସଓଙ୍କୁ ମାଡମାରିବା ପରେ ବି ନ୍ଯାୟ ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛ୍ତି ପ୍ରମିଳା । ଯଦି ଜିଲ୍ଲାପାଳ ତଦନ୍ତ କରୁଛନ୍ତି ତାହେଲେ SP, IIC କୁଆଡେ ଗଲେ ? ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ଯାୟ ଦିଆଯାଇଛି ମୁଖ୍ଯମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ । ଓଡ଼ିଆ ଅସ୍ମିତାର କଥା କହି ଆସିଥିବା ସରକାର କେମିତି ଓଡ଼ିଆଙ୍କୁ ସୁରକ୍ଷା ଦେଉଛି ତାହା ଜଳଜଳ ହୋଇଦିଶୁଛି । ସରକାର ରାଜ୍ଯପାଳଙ୍କ ପୁଅକୁ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ ।