ପାଇକ ବିଦ୍ରୋହକୁ ଦିଅ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା

Odisha Assembly Passed A Resolution To Recommend Centre Reclaim Paika Bidroha As The First War Of Independence.

ଭୁବନେଶ୍ୱର: ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଧାନସଭା ନେଇଛି ସଂକଳ୍ପ । ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ । ଏହି ମର୍ମରେ ଗୃହରେ ସଂକଳ୍ପ ପାରିତ ହୋଇଯାଇଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହା ଆଗତ କରିଥିଲା ବେଳେ ଏହାକୁ ଗୃହ ପାରିତ କରିଛି ।

ସଂକଳ୍ପରେ ଦର୍ଶାଯାଇଛି, ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ସ୍ୱତନ୍ତ୍ର । ୧୮୧୭ ମସିହାରେ ଖୋର୍ଦ୍ଧା ପାଇକଙ୍କ ଏ ସଂଗ୍ରାମ ଆରମ୍ଭ ହୋଇ ୧୮୨୫ ଯାଏ ଚାଲିଥିଲା । ଏହି ଲଢ଼େଇରେ ବହୁ ଜମିଦାର, ଦଳେଇ, ଦଳବେହେରା ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ଇୋଂଜ ସରକାରର ସ୍ଥିତିକୁ ଏ ସଂଗ୍ରାମ ହୋଦଲାଇ ଦେଇଥିଲା ।

ଏଥିସହ ପଢ଼ନ୍ତୁ: ବରୁଣେଇରେ ପୁଣି ‘ପାଇକ ବିଦ୍ରୋହ’ର ଆଭାସ

ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ଅନୁରୋଧ କରିଥିଲା । ରାଜ୍ୟ ସରକାର ପାଇକ ବିଦ୍ରୋହ ଉପରେ ରାଜ୍ୟ ସଂଗ୍ରହାଳୟରେ ଏକ ଗ୍ୟାଲେରୀ ପ୍ରତିଷ୍ଠା କରିବା ସହ ବରୁଣେଇ ପାହାଡ଼ ପାଦଦେଶରେ ୯ ଏକର ୬୮୫ ଡିସିମିଲି ଜମିରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିଛନ୍ତି । ଜାତୀୟସ୍ତରରେ ଏହାର ଅଧିକ ପ୍ରଚାର ଓ ପ୍ରସାର ପାଇଁ ପାଇକ ବିଦ୍ରୋହ ଉପରେ ଆଲୋଚନା ଚକ୍ର, କର୍ମଶାଳା ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଛି ।

ବିଦେଶୀ ଇଂରେଜ ସରକାରଙ୍କ କବଳରୁ ମାତୃଭୂମିକୁ ମୁକ୍ତି କରିବାକୁ ପାଇକମାନଙ୍କ ବଳିଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦିଅନ୍ତୁ । ଏ ସଂକଳ୍ପ ବିଧାନସଭାର ସଭ୍ୟମାନଙ୍କ ସମର୍ଥନରେ ପାରିତ ହୋଇଛି । କେନ୍ଦ୍ର ସରକାର ଓଡ଼ିଆ ବୀରତ୍ୱ ଓ ବଳିଦାନକୁ ସମ୍ମାନ ଜଣାଇ ତୁରନ୍ତ ଏ ଘୋଷଣା କରିବାକୁ ରାଜ୍ୟର ବିଭିନ୍ନ ମହଲରୁ ଦାବି ଉଠିଛି ।

Leave a Reply