ଓଡ଼ିଶା ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ: ଆଗକୁ ଟିଭି ହେବ

ଭୁବନେଶ୍ୱର: ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଛି ୟୁଟ୍ୟୁବ ଚ୍ୟାନେଲ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ବି ଆରମ୍ଭ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ତେବେ ପାର୍ଲିଆମେଣ୍ଟ ଢାଞ୍ଚାରେ କାର୍ଯ୍ୟକାରୀ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍। ପ୍ରସାରଣ ହେବ ବିଧାନସଭା ସଂକ୍ରସନ୍ତୀୟ ଖବର। ଏଥିପାଇଁ ଓଡ଼ିଶା ବିଧାନସଭା ସମାଚାର ୟୁ ଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ ହୋଇଛି। ଶନିବାର ବିଜୁ ଜୟନ୍ତୀରେ ଏହାର ଶୁଭାରମ୍ଭ ହୋଇଛି। ଏବେ ୟୁ ଟ୍ୟୁବ୍‌ରେ ଏହାର ପ୍ରସାରଣ କରାଯିବ। ପରେ ସାଟେଲାଇଟ୍ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା ପରିସରରେ ଏହାର ଷ୍ଟୁଡିଓ ତିଆରି ଚାଲିଛି। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ଆରମ୍ଭ ହେବ। ଏହା ସହ ବିଧାନସଭା ପତ୍ରିକା ନାମକ ମାସିକ ପତ୍ରିକା ପ୍ରକାଶ କରାଯିବ। ଏନେଇ ପ୍ରକ୍ରିୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସେ ଆହୁରି କହିଛନ୍ତି ଯେ, ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର କେନ୍ଦ୍ର ସରକାର ଦେଇଛନ୍ତି । ଚିଠି ବିଧାନସଭାରେ ପହଞ୍ଚିବା ପରେ ସଂସଦୀୟ ବ୍ୟାପାର ବିଭାଗକୁ ପଠାଇ ଦିଆଯାଇଛି। ବିଧାନପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ଚିଠିରେ ଉଲ୍ଲେଖ ରହିଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । କେଉଁ ପରିସ୍ଥିତିରେ ଭୁଲ ଉତ୍ତର ରଖାଗଲା ସେ ନେଇ ବିଧାନସଭା ପକ୍ଷରୁ ୨ ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। ମାର୍ଚ୍ଚ ୩୧ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ବସିବ। ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି କହିଛନ୍ତି ବାଚସ୍ପତି।

Leave a Reply