୩ୟ ଦିନରେ ଗୃହ ସ୍ୱାଭାବିକ, ଆଲୋଚନା ଚାଲିଛି

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନରେ ଗୃହ ସ୍ୱାଭାବିକ ଚାଲିଛି । ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଆଲୋଚନା ଚାଲିଛି । ଏ ସଂପର୍କରେ ସରକାରୀ ଦଳ ମୁଖ୍ୟ ସଚେତକ  ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନେଇ ଚେଷ୍ଟା ଚାଲିଥିବା ପ୍ରମିଳା ମଲ୍ଲିକ ଗୃହରେ ସୂଚନା ଦେଇଛନ୍ତି । ଆଲୋଚନା ପରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଗୃହରେ ଉତ୍ତର ରଖିବେ ।

ଗୁଣାତ୍ମକ ଶିକ୍ଷା ପାଇଁ ଗତ ମାର୍ଚ୍ଚ ୧୧ ତାରିଖରେ ସ୍କୁଲ ଓ ଗଣଣିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଥିଲା  । ବିଜ୍ଞପ୍ତି ଅନୁସାରେ କୌଣସି ପ୍ରାଥମିକ ସ୍କୁଲରେ ୨୦ ବା ତା’ଠାରୁ କମ୍ ପିଲା ନାମ ଲେଖାଇଥିଲେ ସେହି ସ୍କୁଲକୁ ୧କିଲୋମିଟର ଦୂରତା ଭିତରେ ଥିବା ଅନ୍ୟ ସ୍କୁଲ ସହ ମିଶ୍ରଣ କରାଯିବ । ଏନେଇ ବିଭାଗ ଏକ ଗାଇଡ୍‌ଲାଇନ୍‌ ଜାରି କରିବା ସହ ଜିଲ୍ଲା ଓ ବ୍ଲକ୍‌ସ୍ତରରେ କମିଟି ଗଠନ କରିଛି । ଏହାକୁ ଗତକାଲି ବିଧାନସଭାରେ କଂଗ୍ରେସ ଓ ବିଜେପି ବିରୋଧ କରିଥିଲେ   ।

ଗୃହ ବାରମ୍ବାର ମୁଲତବି ରହିଥିଲା । ସ୍କୁଲ ବନ୍ଦ ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ଆଗରେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଆଜି ଏହି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ଚାଲିଛି  ।

Leave a Reply