ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

Odisha Assembly Celebrated Anniversary Of Parala Maharaja

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଉପବାଚସ୍ପତି ରଜନୀକାନ୍ତ ସିଂ, ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ୱେତ କୁମାର ପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Odisha Assembly Celebrated Anniversary Of  Parala Maharaja

ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଏପ୍ରିଲ୍ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।

ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।