ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିର ସ୍ପଷ୍ଟ ଚିତ୍ର ବାରି ହେଉଛି । ଜାତୀୟ ହାରଠାରୁ ଓଡିଶାର ଅଭିବୃଦ୍ଧି ହାର ଅଧିକ ରହିଛି । ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ ବୋଲି ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଉଛି । ୨୦୨୨-୨୩ରେ ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ସେହିଭଳି ଓଡିଶାରେ ମୁଣ୍ଡପିଛା ଆୟ ୧ଲକ୍ଷ ୬୧ ହଜାର ୪୩୭ରେ ପହଁଚିଛି ।

୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆୟରେ ୧୨.୧ ପ୍ରତିଶତ ବୃଦ୍ଧି ହୋଇଛି । ଦାରିଦ୍ର୍ୟ ଦୂରୀକରଣରେ ମଧ୍ୟ ଓଡିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୧୫-୧୬ରେ ରାଜ୍ୟରେ ଦାରିଦ୍ର୍ୟ ଅନୁପାତ ଥିଲା ୨୯.୩ ପ୍ରତିଶତ । ୨୦୧୯ରୁ ୨୧ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୧୫.୭ ପ୍ରତିଶତକୁ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଶିଳ୍ପର ବିକାଶ ପାଇଁ ନିରନ୍ତର ପ୍ରୟାସ ପାଇଁ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।

୨୦୨୩-୨୪ରେ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨% ରହିବୁ ବୋଲି ଆକଳନ କରାଯାଇଛି । ୨୦୨୧-୨୨ରେ ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୧୧୩.୮ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୨-୨୩ରେ ଏହା ୨୪.୨ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସ୍ତର ୧୪୧.୪ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଛି । ୨୦୨୧-୨୨ ରେ ଭାରତର ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୭ ପ୍ରତିଶତ ଯୋଗଦାନ ସହ ଦେଶର ପଞ୍ଚମ ବୃହତ୍ତମ ଧାନ ଉତ୍ପାଦନକାରୀ ରାଜ୍ୟ ଅଟେ । ସରକାର ୨୦୧୭-୧୮ ମସିହାରୁ ଓଡ଼ିଶା ମିଲେଟ୍ ମିଶନ ଅଧୀନରେ ମାଣ୍ଡିଆ ଚାଷ ଓ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ୨୦୧୭-୧୮ରୁ ୨୦୨୨-୨୩ ମଧ୍ଯରେ ରାଜ୍ୟରେ ମାଣ୍ଡିଆ ଜାତୀୟ ଶସ୍ୟର ଉତ୍ପାଦନ ୧୨୧ ପ୍ରତିଶତ ବୃଦ୍ଧି ପାଇଛି ।

ଜଳସେଚନ ସୁବିଧା ସୃଷ୍ଟିରେ ମଧ୍ୟ ଆଖିଦୃଶିଆ ଅଭିବୃଦ୍ଧି ହୋଇଛି । ୨୦୧୩-୧୪ ମସିହା ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ହେକ୍ଟର ଜମିର ଜଳସେଚନ କ୍ଷମତା ସୃଷ୍ଟି ହୋଇଥିଲା । ତାହା ୨୦୨୨-୨୩ ବର୍ଷରେ ୬୯.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ବୃଦ୍ଧି କରାଯାଇଛି । ଓଡ଼ିଶାରେ ପଶୁସମ୍ପଦ ଓ ମତ୍ସ୍ୟ ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି, ଯାହା ଉଭୟ ଖାଦ୍ୟ ସୁରକ୍ଷା ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଛି । ରିପୋର୍ଟ ଅନୁଯାୟୀ ଏଯାଏଁ ୪୩୭୩ ଗ୍ରାମ ପଞ୍ଚାୟତରେ ଗୋଟିଏ ହେଲେ ସ୍ଥାୟୀ ବ୍ୟାଙ୍କ ସେବା କେନ୍ଦ୍ର ନାହିଁ । କ୍ରୀଡ଼ା ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ପୁରୀ, ବ୍ରହ୍ମପୁର, କେନ୍ଦୁଝର, ଜୟପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାଜ୍ୟବ୍ୟାପୀ ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ଯାଜପୁରରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣାଧୀନ ରହିଛି। ରାଜ୍ୟରେ ଅଧିକ ଦକ୍ଷ ଖେଳାଳି ଗଢିବା ପାଇଁ ସାରା ରାଜ୍ୟରେ ଉଦ୍ୟମ କରିଆସୁଛନ୍ତି ।

ତେବେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବା ଅଭିବୃଦ୍ଧି ପୂର୍ବ ସରକାର ଉପଲବ୍ଧୀ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ । ଏହି ସର୍ଭେ ରିପୋର୍ଟ ଓଡ଼ିଶା ଅର୍ଥନୀତିର ସଫଳତାର ରିପୋର୍ଟ, ଯାହା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଛି । ଏହା ଗତ ୨୪ ବର୍ଷ ସରକାରର ସଫଳତା । ପୂର୍ବ ସରକାରର ସଫଳ ଯୋଜନା ଓ ତାର କାର୍ଯ୍ୟକାରିତାର ଏହା ପରିଣତି । ବର୍ତମାନ ସରକାର ଯେଉଁ ଅର୍ଥନୈତିକ ସର୍ଭେ ରିପୋର୍ଟ, ଆଣିଛନ୍ତି, ତାହା ପୂର୍ବ ସରକାରର ସଫଳତାର କାହାଣୀ ବୋଲି ସେ କହିଛନ୍ତି। ସେହିଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଗତ ୨୪ ବର୍ଷ ଧରି ରାଜ୍ୟରେ ଜାରି ରଖିଥିବା ବିକାଶମୂଳକ ଯୋଜନାର ଏହା ପ୍ରତିଫଳନ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।