ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ, ମାଳ ମାଳ ପ୍ରସଙ୍ଗ ନେଇ ଶାସକ ଦଳକୁ ଘେରିବେ ବିରୋଧୀ
1 min read![](https://nandighoshatv.com/wp-content/uploads/2025/02/odisha-assembly-2-1024x576.jpg)
ଭୁବନେଶ୍ବର: ଦିନକ ପରେ ବିଧାନସଭାର ବଜେଟ ଅଧିବେଶନ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନରେ କଟନି ଛଟନିଠାରୁ ଆରମ୍ଭ କରି ହଇଜା, ବାରବାଟୀ ଅବ୍ୟବସ୍ଥା ପରି ମାଳମାଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ମୁଖ୍ୟ ବିରୋଧୀ ବିଜେଡି । ରାଜ୍ୟ ସରକାରଙ୍କ ୮ ମାସର ବିଫଳତା ସହ ବଡ଼ ବଡ଼ ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଗୃହରେ ନାକେଦମ କରିବ ବିଜୁ ଜନତା ଦଳ । ନିର୍ବାଚନୀ ପ୍ରତିଶ୍ରୁତିର ବିଫଳାତାକୁ ନେଇ କଂଗ୍ରେସ କରିବ ଶାଣିତ ଆକ୍ରମଣ । ଆସନ୍ତାକାଲି ୩ ଦଳର ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହେବ ରଣନୀତି। ଅନ୍ୟପଟେ ଲମ୍ବା ସମୟର ବଜେଟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କାଲି ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଅନ୍ୟପଟେ ବିଧାୟକ ଦଳ ବୈଠକ ପୂର୍ବରୁ ବିଧାନସଭାର ପ୍ରସଙ୍ଗକୁ ନେଇ ମୁହାମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।
ଗୁରୁବାରରୁ ବିଧାନସଭାର ବଜେଟ ଅଧିବେଶନ । ୨୮ଟି କାର୍ଯ୍ୟଦିବସ ସହ ଲମ୍ବା ସମୟର ବଜେଟ ଅଧିବେଶନ । ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ । ଶାସକ ଦଳକୁ ଘେରିବାକୁ ପୂରା ପ୍ରସ୍ତୁତ ମୁଖ୍ୟ ବିରୋଧୀ ବିଜେଡି । ରାଜଧାନୀରେ ଯୁବକଙ୍କୁ ହତ୍ୟା, ଭିଆଇପି ଏରିଆରୁ ଚୋରି, ନେତାଙ୍କୁ ହତ୍ୟା ଧମକ ସହ ସାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବଡ଼ ଅସ୍ତ୍ର କରିବ ବିଜେଡି । ବିଜେପି ସରକାରରେ ନାରୀ ନିର୍ଯାତନାରୁ ଆରମ୍ଭ କରି ହତ୍ୟା, ଚୋରି ଓ ଡକାୟତି ସୀମା ଟପିଛି । ଏସବୁର ଜବାବ ଗୃହରେ ମାଗିବ ବିଜେଡି । ସେହିପରି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଧାନର ଅଭାବୀ ବିକ୍ରି ସହ କଟନି ଛଟନି ହେଉଛି । ତା’ ସାଙ୍ଗକୁ କଣାସରେ ହଇଜା, ବାରବାଟୀ ଫ୍ଲଟ ଲାଇଟ ବନ୍ଦ ହେବା ପରି ପ୍ରସଙ୍ଗକୁ ଉଠାଇବ ବିଜେଡି । ଏହା ପୂର୍ବରୁ ଆସନ୍ତାକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖଭବନରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ରାଜ୍ୟ ସ୍ବାର୍ଥ ସହ ନୂଆ ଓ ପୁରୁଣା ପ୍ରସଙ୍ଗକୁ କିପରି ଶାଣିତ କରାଯିବ, ସେ ନେଇ ପ୍ରସ୍ତୁତ ହେବ ରଣନୀତି ।
ସରକାର ଗଠନର ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି, ବର୍ଦ୍ଧିତ ଭତ୍ତା, ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବା ପରି ମାଳମାଳ ନିର୍ବାଚନୀ ପ୍ରତିଶ୍ରୁତି ଭୁଲି ଯାଇଛି ଡବଲ ଇଞ୍ଜିନ ସରକାର । ଏକଥାକୁ କଂଗ୍ରେସ ପ୍ରସଙ୍ଗ କରି ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି । ଏହାଛଡ଼ା ଦଳ ଆଉ କେଉଁ ପ୍ରସଙ୍ଗ ଉଠାଇବ ତାହା ସ୍ଥିର କରାଯିବ । ବିଜେଡି କହିଛି, ବାଚସ୍ପତି ଗୃହରେ ଶାସକ ଓ ବିରୋଧୀ ଦଳକୁ ସମାନ ଦୃଷ୍ଟିରେ ଦେଖନ୍ତୁ । ବିରୋଧୀ ଦଳ ଲୋକଙ୍କ ସ୍ବର ସାଜି ସରକାରଙ୍କୁ ପ୍ରଶ୍ନ କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ଅନ୍ୟପଟେ ବିଜେପିର କହିବା କଥା, ବିରୋଧୀ ଗୃହରେ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ସରକାର ତାର ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛନ୍ତି ।
୧୩ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ୧୭ ତାରିଖରେ ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ । ଅଧିବେଶନକୁ ସୁରୁଖୁରୁରେ ସାରିବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସର୍ବ ଦଳୀୟ ବୈଠକ ବସିବ । ବହୁ ପ୍ରସଙ୍ଗକୁ ନେଇ ବଜେଟ ଅଧିବେଶନ ବେଶ ସରଗରମ ହେବ । ତେବେ ଏହାକୁ ସରକାର କିପରି ମୁକାବିଲା କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛି ଶାସକ ଦଳ ।