ଆଜିଠୁ ବିଧାନସଭାର ବଜେଟ ଅଧିବେଶନ, ୩୦ରେ ଆସିବ କାମଚଳା ବଜେଟ

1 min read

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମେ ଗୃହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬  ଓ ୨୮ ତାରିଖ ୩ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବ ।

କାର୍ଯ୍ୟସୂଚୀ ଅନୁସାରେ ୬ଟି କାର୍ଯ୍ୟଦିବସରେ ଗୃହରେ ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିବ । ସରକାର ଅନେକ ବିଲ୍ ଆଣିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ନୂଆ ଓ ପୁରୁଣା ପ୍ରସଙ୍ଗରେ ବିଧାନସଭାର ବଜେଟ୍ ଅଧିବେଶନ ଉଷ୍ମ ହେବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଆଇନଶୃଙ୍ଖଳାକୁ ମୁଖ୍ୟ ମୁଦ୍ଦା କରିବାକୁ ପ୍ରସ୍ତୁତି କରିଥିବାବେଳେ କଂଗ୍ରେସ ପାଞ୍ଚଟି ରାଜ୍ୟର ନିର୍ବାଚନ ପରେ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି କେନ୍ଦ୍ରକୁ ଟାର୍ଗେଟ୍ କରିବ । ଅନ୍ୟପଟେ ଶାସକ ଦଳ କହିଛି, ବିରୋଧୀଙ୍କ ସବୁ ପ୍ରଶ୍ନ ଓ ପ୍ରସଙ୍ଗର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି । ଆଜି ସକାଳେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବସିବ । ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବସିବ ।